Hot Posts

6/recent/ticker-posts

ଦାରିଙ୍ଗବାଡିରେ ୧୩୧ ବର୍ଷୀୟ ମହିଳାଙ୍କ ପରଲୋକ: ଦୀର୍ଘାୟୁର ଜୀବନଶୈଳୀ ହେଲା ଆଲୋଚନାର କେନ୍ଦ୍ରବିନ୍ଦୁ

କନ୍ଧମାଳ, ୨୦/୦୧ ( ଯୋଗେନ୍ଦ୍ର କହଁର ) :କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍‌ରୁ ଏକ ଦୁର୍ଲଭ ଓ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦାରିଙ୍ଗବାଡି ବ୍ଲକ୍‌ ଅନ୍ତର୍ଗତ ପାଡାନକେତା ଗ୍ରାମର ବୃଦ୍ଧା ମହିଳା ମଞ୍ଜାରି ବିନ୍ଧାଣୀ ୧୩୧ ବର୍ଷ ବୟସରେ ପରଲୋକ ପ୍ରାପ୍ତ କରିଛନ୍ତି। ସ୍ୱର୍ଗତ ସେନ୍ଦେ ବିନ୍ଧାଣୀଙ୍କ ଧର୍ମପତ୍ନୀ ମଞ୍ଜାରି ବିନ୍ଧାଣୀଙ୍କ ଦୀର୍ଘାୟୁ ଦାରିଙ୍ଗବାଡି ବ୍ଲକ୍‌ର ୨୫ଟି ପଞ୍ଚାୟତ ମଧ୍ୟରେ ଏକ ଅଭୂତପୂର୍ବ ରେକର୍ଡ ଭାବେ ଗଣ୍ୟ ହେଉଛି। ସାଧାରଣତଃ ୬୦ରୁ ୮୦ ବର୍ଷ ମଧ୍ୟରେ ମଣିଷର ଆୟୁ ସୀମିତ ଥାଏ ବୋଲି ଧାରଣା ରହିଥିବା ବେଳେ, ମଞ୍ଜାରି ବିନ୍ଧାଣୀଙ୍କ ୧୩୧ ବର୍ଷୀୟ ଜୀବନ ଅଞ୍ଚଳବାସୀଙ୍କ ପାଇଁ ଅପୂର୍ବ ଦୃଷ୍ଟାନ୍ତ ହୋଇଛି। ସେ ନାତି, ପୁତି, ସତି ସହ ଚାରି ପିଢ଼ି ପର୍ଯ୍ୟନ୍ତ ସନ୍ତାନସନ୍ତତିକୁ ଦେଖିଥିବା ଜଣେ ଦୁର୍ଲଭ ମହିଳା ଥିଲେ। ତାଙ୍କ ଦୀର୍ଘାୟୁର ପଛରେ ଥିବା ଜୀବନଶୈଳୀ ଏବେ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପରିବାରସୂତ୍ରରୁ ପ୍ରକାଶ, ମଞ୍ଜାରି ବିନ୍ଧାଣୀ ସାରା ଜୀବନ ତେଲ, ମସଲା ଓ କୃତ୍ରିମ ସ୍ୱାଦିଷ୍ଟ ଖାଦ୍ୟରୁ ଦୂରେଇ ରହୁଥିଲେ। ସେ ମାଣ୍ଡିଆ, କାଙ୍ଗୁ, ବିରି, କଳତ, କୁଇରି, ଆମ୍ବ ଟାକୁଆ ଜାଉ, ବନ କନ୍ଦା ପରି ସ୍ୱାଭାବିକ ଓ ବିନା ରାସାୟନିକ ସାରରେ ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ଗ୍ରହଣ କରୁଥିଲେ। ଏହି ସାଧାରଣ ଓ ସ୍ୱଚ୍ଛ ଆହାର ତାଙ୍କ ସ୍ୱାସ୍ଥ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିଥିବା କୁହାଯାଉଛି। ମଞ୍ଜାରି ବିନ୍ଧାଣୀଙ୍କ ପରଲୋକ ସହିତ ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦୀର୍ଘ ଓ ସରଳ ଜୀବନ ଆଜିର ପିଢ଼ି ପାଇଁ ସ୍ୱାସ୍ଥ୍ୟସଚେତନ ଜୀବନଶୈଳୀର ଏକ ନିରବ ଶିକ୍ଷା ଛାଡ଼ି ଯାଇଛି।