ନୂଆପଡା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ଅନୁଷ୍ଠିତ
ନୂଆପଡ଼ା, ୨୦/୦୧ ( ମନୋଜ ମାଝୀ ) : ନୂଆପଡା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମାନ୍ୟବର ବିଧାୟକ ନୂଆପଡା, ଶ୍ରୀ ଜୟ ଢୋଲକିଆ ଅଧ୍ୟକ୍ଷତା କରି ସମର୍ପିତ ଭାବରେ ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବାପାଇଁ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ବିଧାୟକ ନୂଆପଡା ବିଧାନସଭା କ୍ଷେତ୍ରରେ ପଞ୍ଚାୟତି ରାଜ, ସ୍ବାସ୍ଥ୍ୟ, ଶିକ୍ଷା ,ରାସ୍ତା ଓ କୋଠାବାଡ଼ି ବିଭାଗ, ଗ୍ରାମ୍ୟ ବିକାଶ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ,ଉଠା ଜଳସେଚନ, ଜଳ ସେଚନ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ ଇତ୍ୟାଦି ବିଭାଗର କାର୍ଯ୍ୟାବଳୀ ର ସମୀକ୍ଷା କରିଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ମାନ୍ୟବର ବିଧାୟକ ଓ ସମସ୍ତ ଅଧିକାରୀଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଉପ ନିର୍ଦ୍ଦେଶକ ପରିସଂଖ୍ୟାନ ଡିଲେଶ୍ୱର ଧରୁଆ ବିଭିନ୍ନ ବିଭାଗର ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ l ଗୋଟି ଗୋଟି କରି ସମସ୍ତ ବିଭାଗୀୟ ଅଧିକାରୀ ମାନେ ଗୃହକୁ ନିଜ ନିଜ ବିଭାଗର ସଫଳତା ଓ ଭବିଷ୍ୟତ କାର୍ଯ୍ୟଖସଡ଼ା ସମ୍ବନ୍ଧରେ ଅବଗତ କରିଥିଲେ l ମୁଖ୍ୟତଃ ସମସ୍ତ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ଓ ଏହି ସମ୍ବନ୍ଧୀୟ ଅସୁବିଧା ବିଷୟରେ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହିତ ବିଧାୟକ ସିଧା ସଳଖ ଆଲୋଚନା କରିଥିଲେ l ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ବିଧାନସଭା କ୍ଷେତ୍ରରେ ୨୦ କୋଟି ୫୦ ଲକ୍ଷ ବ୍ୟୟରେ ୩୧୧ ଟି ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ ଏଥିରୁ ୭୦ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି l ବିଧାୟକଙ୍କ ଅନୁଦାନରେ ୨୩୦ ଟି ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳରୁ ୧୬୧ ଟି କାମ ସଂପୂର୍ଣ୍ଣ ହୋଇଛି l କେ ବି କେ ବିକାଶ ଯୋଜନାରେ ୨ କୋଟି ଟଙ୍କାର ୫୪ ଟି ପ୍ରକଳ୍ପରୁ ୨୨ ଟି କାମ ସଂପୂର୍ଣ୍ଣ ହୋଇଛି l ୩୬ ଲକ୍ଷ ଟଙ୍କା ରେ ଅନୁମୋଦିତ ୧୮ ଟି ଅଙ୍ଗନବାଡ଼ି କେନ୍ଦ୍ର ରୁ ୮ ଟି ସଂପୂର୍ଣ୍ଣ ହୋଇଛି l୪୮ ଟି ବନ ସୁରକ୍ଷା କୋଠାରୁ ୧୩ ଟି ନିର୍ମିତ ହୋଇଛି l ୪ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୬ ଟି ଅତିରିକ୍ତ ଶ୍ରେଣୀ ଗୃହ ମଧ୍ୟରୁ ୭ ଟି ସଂପୂର୍ଣ୍ଣ ହୋଇଛି l ୧୪ କୋଟି ଟଙ୍କା ବ୍ୟୟରେ ଜିଲ୍ଲା ସଂସ୍କୃତି ଭବନ କାମ ଆରମ୍ଭ ହୋଇଛି l ନୂଆପଡା ଟାଉନ୍ ହଲ୍ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି l ବିଧାୟକ ପତୋରା ଡେମ୍ ରୁ ସ୍ଥାନୀୟ ସିଲଦା ରିଜର୍ଭ କଲୋନୀ କୁ ପାନୀୟ ଜଳ ଯୋଗାଣ,ବିଭିନ୍ନ ଗ୍ରାମରେ ଅଧିକ ସଂଖ୍ୟାରେ ନଳକୂପ ଖନନ, ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଯେଉଁ ଗ୍ରାମ ମାନଙ୍କରେ ମୋବାଇଲ୍ ସିଗ୍ନାଲ ନାହିଁ, ସେଠାରେ ନୂତନ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ l ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ କୌଣସି ନିର୍ମାଣ କାମରେ ହେଳା ଏବଂ ଗୁଣମାନରେ ମୋଟେ ସାଲିସ କରାଯିବ ନାହିଁ l ଆଜିର ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ବାରିକାନାଥ ଶତପଥୀ, ନୂଆପଡା ଓ କୋମନା ବି ଡି ଓ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଉପସ୍ଥିତ ଥିଲେ l ଶେଷରେ ଏ ପି ଡି କ୍ଷମାନିଧି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l