ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୫ ପାଳିତ।
କଳାହାଣ୍ଡି, ୦୬/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ନର୍ଲା ର ମାନ୍ୟବର ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ମତବ୍ୟକ୍ତ କରିଥିଲେ । ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ସ୍ଥାନୀୟ ଉଠା ଜଳସେଚନ ବିଭାଜନ ଭବାନୀପାଟଣା ପରିସରରେ ଜଳସମ୍ପଦ ବିଭାଜନ, କଳାହାଣ୍ଡି ର ଅଧୀକ୍ଷଣ ଯନ୍ତ୍ରୀ ଇଂ ବିପ୍ର ସୋରେନ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟବକ୍ତା ଭାବେ ନାବାର୍ଡ ର ଡ଼ିଡ଼ିଏମ ମହେଶ୍ୱର ଦାସ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଡ଼ଃ. ଅମିତାଭ ପଣ୍ଡା ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଭବାନୀପାଟଣା,ପିଡି ଜଳଛାୟା ପ୍ରଭାକର ନାୟକ, ଆସୋସିଏଟ ଡାଇରେକ୍ଟର ଅଫ ରିସର୍ଚ୍ଚ ଡ଼ଃ. ଭବାନୀ ଶଙ୍କର ନାୟକ, ଏ ଏଫ ସି କୃଷ୍ଣଚନ୍ଦ୍ର ମିଶ୍ର, ସଫଳ ଚାଷୀ ତଥା ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ ରେ ସ୍ଥାନ ପାଇଥିବା ସାନଚେରଗାଁ, ଗୋଲାମୁଣ୍ଡା ର ଚାଷୀ କୃଷ୍ଣଚନ୍ଦ୍ର ନାଗ, ଧନରପୁର, କରଲାମୁଣ୍ଡା ର ଅଗ୍ରଣୀ କୃଷକ ଧନଞ୍ଜୟ ନାୟକ, ପାଣି ପଂଚାୟତ ଜିଲ୍ଲା ସଭାପତି ଗଙ୍ଗାଧର ମେହେର ପ୍ରମୁଖ ମଂଚାସୀନ ରହି ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । କୃଷି ଓ କୃଷକମାନଙ୍କ ସଶକ୍ତିକରଣ ନିମନ୍ତେ ପାଣି ପଂଚାୟତ ନିର୍ବାଚନ ଓ ସଦସ୍ୟମାନଙ୍କ ପ୍ରଶିକ୍ଷଣ ଆବଶ୍ୟକ ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଜଳର ସୁପରିଚାଳନା ଓ ଆବଂଟନ ହୋଇପାରିଲେ ଜଳ ସମସ୍ୟା ଜନିତ ଅସୁବିଧା ରହିବ ନାହିଁ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୋରେନ ଜଳ ସରଂକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ନ୍ୟାୟ ସଙ୍ଗତ ଓ ସମାନତା ଭିତିରେ ବିଭିନ୍ନ ଜଳ ବ୍ୟବହାରକାରୀମାନଙ୍କ ମଧ୍ୟରେ ଜଳ ବଂଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାର ଫସଲ ଉତ୍ପାଦନ ହୋଇପାରିବ । ଜଳର ସୁବ୍ୟବହାର ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା ହୋଇପାରିଲେ କଳାହାଣ୍ଡି ଭଳି କୃଷି ପ୍ରଧାନ ଜିଲାରେ କୃଷକମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିବ । ଜଳ ବଂଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଅପୋଷ ସମାଧାନ କରିବା ସହ ଉଠା ଜଳସେଚନ ଥିବା କ୍ଷେତ୍ରନାଳୀ ଓ ନିଷ୍କାସନ ନାଳି ଇତ୍ୟାଦିର ଉତମ ରକ୍ଷଣାବେକ୍ଷଣ ଦ୍ୱାରା ଖରିଫ ଋତୁର ବଳକା ଜଳକୁ ସଂଚୟ କରି ରବି ଋତୁରେ ଉପଯୋଗ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଫସଲ ବିବିଧି କରଣ, ଅର୍ଥକାରିଫସଲ ଉତ୍ପାଦନ ଓ ଜଳବାୟୁ ଅନୁକୂଳ ଚାଷ ପଦ୍ଧତି ଉପଯୋଗକଲେ କୃଷକ ସମାଜର ଜୀବନ ଜୀବିକାର ମାନବୃଦ୍ଧି ହୋଇପାରିବ ।ବିଭାଜନ ସ୍ତରୀୟ ପକ୍ଷ ପାଳନ ଉପଲକ୍ଷେ ଗତ ୦୩. ୦୧. ୨୫ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ବିଭିନ୍ନ ବିଭାଗ ଯଥା ପ୍ରବନ୍ଧ,ଗଳ୍ପ, ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୫୦୦,୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଶୁଭ ଉଦ୍ଘାଟନ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । କନିଷ୍ଟ ଯନ୍ତ୍ରୀ ଶାନ୍ଟୁନୁ କୁମାର ମାଝୀ, ଧର୍ମେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ବୈଠକରେ ବିଭିନ୍ନ ପାଣି ପଂଚାୟତର ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କଳାହାଣ୍ଡି ଜଳସମ୍ପଦ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ବିପ୍ର ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ