Hot Posts

6/recent/ticker-posts

ମାଁ ଗଢିଆଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬ (ସଂସ୍କରଣ–୮) ଉଦ୍ଘାଟିତ

ସିନାପାଲି, ୧୯/୦୧ ( ସୁରେଶ ମହାନନ୍ଦ ) : ରାଜକୀୟ ଖେଳ କ୍ରିକେଟ ଆଜି ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ତାର ବ୍ୟାପକ ପ୍ରଭାବ ବିସ୍ତାର କରୁଛି। କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଗାଁ ଗାଁ ମଧ୍ୟରେ ଭାଇଚାରା, ସୁସମ୍ପର୍କ ଓ ସାମାଜିକ ସମନ୍ୱୟ ଅଧିକ ସୁଦୃଢ଼ ହେଉଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ଓ କାପସି ଗ୍ରାମର କ୍ରିକେଟ ପ୍ରେମୀ ଯୁବକମାନଙ୍କ ଆୟୋଜନରେ ମାଁ ଗଢିଆଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬ (ସଂସ୍କରଣ–୮) ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ସିନାପାଲି ଧାନମଣ୍ଡି ନିକଟସ୍ଥ ଖେଳ ପଡ଼ିଆରେ ଆଜି ତାରିଖ ୧୯/୦୧/୨୦୨୬ ଠାରୁ ଆରମ୍ଭ ହୋଇ ୨୬/୦୧/୨୦୨୬ ରେ ଗ୍ରାଣ୍ଡ ଫାଇନାଲ ସହ ସମାପନ ହେବ। ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୬ଟି କ୍ରିକେଟ ଦଳ ଭାଗ ନେଇଛନ୍ତି। ଏଥିରେ ବିଜେପୁର, ଫୁରସୁଣ, ସିନାପାଲି (ବି), ସିନାପାଲି (ଏ), ହାତୀବନ୍ଧା, ମହୁଲପଡ଼ା, ଭରୁଆମୁଣ୍ଡା, ନଙ୍ଗଳବୋଡ଼, ରୋକାଲ (XI), ଖଡିଆଳ ମାରୁତି (XI), ଲାଞ୍ଜି (XI), ବୋଡ଼େନ (XI), ସିଙ୍ଗଝର (XI), ଧାମନଡଙ୍ଗା (ବଲାଙ୍ଗୀର), ଡଙ୍ଗରିଗୁଡ଼ା ଓ କାନ୍ଦୁଲଝର (କଲାହାଣ୍ଡି) ଆଦି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଦିନ ଦୁଇଟି କରି ମ୍ୟାଚ ଅନୁଷ୍ଠିତ ହେବା ସହ ୨୫/୦୧/୨୦୨୬ ରେ ଦୁଇଟି ସେମିଫାଇନାଲ ଏବଂ ୨୬/୦୧/୨୦୨୬ ରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜିର ଉଦ୍ଘାଟନୀ ମ୍ୟାଚ ବିଜେପୁର ଓ ଫୁରସୁଣ ଦଳ ମଧ୍ୟରେ ହୋଇଥିଲା, ଯେଉଁଥିରେ ଫୁରସୁଣକୁ ପରାସ୍ତ କରି ବିଜେପୁର ଦଳ ଐତିହାସିକ ବିଜୟ ହାସଲ କରିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆୟୋଜକ କମିଟି ସଦସ୍ୟମାନେ ମାଁ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମାଁଙ୍କ ଆଶୀର୍ବାଦ ନେଇ ମଶାଲ ଯାତ୍ରାରେ ମାଁ ମହୁଲଗଛିଏନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କରି ଖେଳ ପଡ଼ିଆକୁ ପହଞ୍ଚିଥିଲେ। କାପସି ଗ୍ରାମର ଝାଙ୍କର ନରୋତ୍ତମ ମାଝୀ ବିଧିବିଧାନ ସହ ପୂଜାପାଠ ସମାପନ ପରେ ଅତିଥିମାନଙ୍କ କରକମଳରେ ନାଳୀଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରାଯାଇଥିଲା। ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ତ୍ରିନାଥ ମେହେର (ବିଶିଷ୍ଟ ସମାଜସେବୀ) ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରିୟରଞ୍ଜନ ମେହେର, ମନ୍ଦାକିନୀ ବଘେଲ, ରଜନୀକାନ୍ତ ମାଝୀ, ଜଗନ୍ନାଥ ସାଗର, କୈଳାସ ଜଗତ, ମଧୁ ଜଗତ, ଲମ୍ବୋଦର ମାଝୀ ଓ ରାମାନୁଜ ପୁରୋହିତ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ। ଆଜିର ମ୍ୟାଚରେ ଅମ୍ପାୟର ଭାବେ ଅଜୟ ବାଗ ଓ ଧନଞ୍ଜୟ ମେହେର, ରେଫେରି ଭାବେ କରନ ମହାନନ୍ଦ ଓ ଭାଷ୍ୟକାର ଭାବେ ବିଦ୍ୟାଧର ସା, ବିଜୟ ସେଠୀ, ନବୀନ ଜଗତ, ସାଗର ନାଗ ଓ ବିନ୍ଦୁସାଗର ମେହେର କାର୍ଯ୍ୟ ସଫଳତାର ସହ ନିର୍ବାହ କରିଥିଲେ। ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି, ରନର୍ସଅପ୍ ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ଶତାଧିକ କ୍ରିକେଟ ପ୍ରେମୀ ଦର୍ଶକ ଖେଳ ପଡ଼ିଆରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ସିନାପାଲି ଓ କାପସି ଗ୍ରାମର ଯୁବକମାନଙ୍କ ଏହି ସାମୂହିକ ପ୍ରୟାସ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ପ୍ରଶଂସା ଲାଭ କରୁଛି।