Hot Posts

6/recent/ticker-posts

ଅବହେଳିତ ଭଏଁରା ଘୁମର ଜଳପ୍ରପାତ, ଯାତାୟାତ ପାଇଁ ନାହିଁ ନିତିଦିନିଆ ରାସ୍ତା

ଝରିଗାଁ, ୩୧/୧୨ ( ନକୁଳ ଭତ୍ରା ) : ଝରିଗାଁ ବ୍ଲକରେ ଥିବା ଭଏଁରା ଘୁମର ଜଳପ୍ରପାତ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଚକଳାପଦର ପଂଚାୟତର ବାହାର କରମରି ଗ୍ରାମରୁ ୨ କିମି ଦୂର ଯିବା ପରେ ଡାହାଣ ପାର୍ଶ୍ଵରେ ୩ କିମି ପାଦଚଲାରେ ରାସ୍ତା ଯିବା ପରେ ପଡିଥାଏ ଏହି ଜଳପ୍ରପାତ ଝରିଗାଁ ବ୍ଳକର ସହାଜଖଲ, ନୂଆପଡା, ବୁତିସାହି ଓ ଚାନ୍ଦାହାଣ୍ଡି ବ୍ଳକର ଘୁମରମୁଣ୍ଡି ଗ୍ରାମ ଦେଇ ଜଳପ୍ରପାତକୁ ଯିବା ସମୟରେ ପଯ୍ୟଟକଙ୍କୁ ପାହାଡ଼ିଆ ରାସ୍ତା, ଜଙ୍ଗଲ ଓ ଦୁଇଟି ଛୋଟ ଝରଣା ପାର ହେବାକୁ ପଡିଥାଏ। ଯାତାୟାତ ସୁବିଧା ନଥିବାରୁ ପର୍ଯ୍ୟଟକ ହଇରାଣ ହୋଇଥାନ୍ତି। ଘୁମରମୁଣ୍ଡି ଗ୍ରାମରେ ପହଞ୍ଚିବା ପରେ ସେଠାରୁ ୨୦୦ ମିଟର ଦୂରରେ ରହିଛି ଭଏଁରା ଘୁମର ଜଳପ୍ରପାତ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ଚାରିପଟ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଏକ ବିରାଟ ପଥର ଦେଇ ପ୍ରାୟ ୮ଶହ ଫୁଟ ତଳେ ପାଣି ପଡୁଛି। ଏହି ପାଣି ଚନ୍ଦାହାଣ୍ଡି ବ୍ଳକର କୁହୁଡି ଗ୍ରାମକୁ ଯାଉଛି। ପାହାଡ଼ ଉପରୁ ଦେଖିଲେ କୁହୁଡି ଗ୍ରାମ ଅତି ମନୋରମ ଦେଖା ଯାଇଥାଏ। ଏଠାରେ ଛୋଟ ଛୋଟ ଜଳ ପ୍ରପାତ ମଧ୍ୟ ରହିଛି। ବିଶେଷ କରି ସନ୍ଧ୍ୟା ସମୟର ଦୃଶ୍ୟ ଅତି ମନୋରମ | ପାହାଡ଼ରୁ ଖସି ଆସୁଥିବା ପାଣି ଉପରେ ଅସ୍ତଗାମୀ ସୂର୍ଯ୍ୟ କିରଣ ପଡି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ। ଶୀତ ଋତୁ ଆସିଲେ ଆଖପାଖ ତଥା ଝରିଗାଁ ବ୍ଳକର ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ରମଣୀୟ ହୋଇଥିଲେ ହେଁ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇନି। ଦୁର୍ଗମ ଅଞ୍ଚଳରେ ଜଳପ୍ରପାତ ଥିବାରୁ ଏହି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିପାରୁନି। ପର୍ଯ୍ୟଟନସ୍ଥଳର ବିକାଶ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ ରାସ୍ତା ନିର୍ମାଣ କରାଗଲେ ବହୁ ପର୍ଯ୍ୟଟକ ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତେ।