ଜାଙ୍ଗିଲି ଗ୍ରାମରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ
ରାୟଗଡ଼, ୨୨/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ବ୍ଳକର ଜାଙ୍ଗିଲି ଗ୍ରାମରେ ସୋମବାର ଦିନ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁଜିତ କୁମାର ମିଶ୍ର, ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ, ସ୍ଵାସ୍ଥ୍ୟ ଅଧିକାରୀ ଡଃ ସୁନୀଲ ପ୍ରାସାଦ ମହାପତ୍ର, ସହକାରୀ ପ୍ରାଣୀଧନ ଅଧିକାରୀ ଡଃ ସୁବ୍ରତ ପାଣିଗ୍ରାହୀ, ଏବିଡିଓ କାଳୁଚରଣ ନାୟକ, ଭାରପ୍ରାପ୍ତ ସିଡିପିଓ ନଳିନୀ ବୈରାଗୀ, ଏବିଇଓ ବଳରାମ ହୁଇକା ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଏହାସହ ଆବାସ ଯୋଜନା, ସାମାଜିକ ସଶକ୍ତିକରଣ, ଓଡିଶା ଜୀବିକା ମିଶନ ଆଦି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବ୍ୟାପକ ସଚେତନତା ନିମନ୍ତେ ଶିକ୍ଷା, ସ୍ବାସ୍ଥ୍ୟ, ମିଶନ ଶକ୍ତି, ମହିଳା ଓ ଶିଶୁବିକାଶ ତଥା ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ସଚେତନତା ଷ୍ଟଲମାନ ଖୋଲାଯାଇଥିଲା । ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା । ପିପଲଗୁଡା ନାଏବ ସରପଞ୍ଚ ସୀନା ଜିଲାକାରା, ଖ ଜୋନର ଜିଲ୍ଲା ପରଷଦ ସଭ୍ଯା ପଦ୍ମାବତୀ ମାଣ୍ଡାଙ୍ଗୀ, ଡାଙ୍ଗଲୋଡି ସମିତି ସଭ୍ଯ ଅଜିତ ମାଣ୍ଡାଙ୍ଗୀ, କାରୁବାଇ ସମିତିସଭ୍ଯ ସୁଖଦେବ ସାରାକା, ପିପଲଗୁଡା ସମିତିସଭ୍ଯ ଅନନ୍ତ ପୁଆଲା ପ୍ରମୁଖ ଯୋଗଦେଇ ବାଲ୍ଯ ବିବାହ, ଅନ୍ଧବିଶ୍ୱାସ ଓ ସ୍ଥାନୀୟ ମୌଳିକ ସମସ୍ୟା ବିଷୟରେ ନିଜ ମତ ରଖିଥିଲେ । ମୋଟ ୧୯ ଗୋଟି ଅଭିଯୋଗ ମଧ୍ଯରୁ ୧୨ ଗୋଟି ବ୍ୟକ୍ତିଗତ ଓ ୭ଟି ସାମୁହିକ ଅଭିଯୋଗ ହସ୍ତଗତ ହୋଇଥିଲା ।ବ୍ୟକ୍ତିଗତ ଅଭିଯୋଗ ଆବାସ, ଭତ୍ତା ସମ୍ପର୍କିତ ହୋଇଥିବାରୁ ବିହିତ ପଦକ୍ଷେପ ନିମନ୍ତେ ସଂପୃକ୍ତ ଉପ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବିଡିଓ ସୁଜିତ ମିଶ୍ର କହିଛନ୍ତି । ଉକ୍ତ ବୈଠକରେ ୧୦ ଜଣଙ୍କୁ ବ୍ୟକ୍ତିଗତ ଜମିପଟ୍ଟା, ଚାରିଜଣଙ୍କୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟକାର୍ଡ , ପାଞ୍ଚଜଣଙ୍କୁ ମନରେଗା ଜବକାର୍ଡ ଏବଂ ତିନୋଟି ଏସଏଚଜିଙ୍କୁ ଜୀବିକା ମିଶନ ତରଫରୁ ପଚାଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା । ଶେଷରେ ମାଁ ସନ୍ତୋଷୀ କଳା ପରିଷଦ ତରଫରୁ ବାଲ୍ଯ ବିବାହ ଓ ଅନ୍ଧବିଶ୍ୱାସ ନିରୋଧ ସମ୍ପର୍କିତ ସଚେତନତା ମୂଳକ ସାସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯାଇଥିଲା । ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ମନୋଜ ଜିଲାକାରା, ରୀତାଶ୍ରୀ ପଲେଇ ସମେତ ପିପଲଗୁଡା ଯୁବକସଙ୍ଘ ଓ ବ୍ଲକ କର୍ମକର୍ତ୍ତାଗଣ ଆୟୋଜନରେ ସହଯୋଗ କରିଥିଲେ ।