Hot Posts

6/recent/ticker-posts

ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ, ଶବ ବ୍ୟବଚ୍ଛେଦ ପରେ ଚିହ୍ନଟ ପାଇଁ ଶବ ସଂରକ୍ଷିତ ରଖିଲା ପୁଲିସ

କର୍ଲାମୁଣ୍ଡା, ୧୫/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତର ଶିରାବାହାଲ ଗ୍ରାମରେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ। ଶବ ବ୍ୟବଚ୍ଛେଦ ପରେ ଚିହ୍ନଟ ପାଇଁ ଶବ ସଂରକ୍ଷିତ ରଖିଲା ପୁଲିସ। ୯୬ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷିତ ରହିବ। ଏନେଇ ମ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତକ ଜଣଙ୍କ ଦେବରାଜ ମାଝୀ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକ ଶିରାବାହାଲ ଗ୍ରାମରେ ଦେବରାଜ ମାଝୀ ନାମକ ଜଣେ ବ୍ୟକ୍ତି ପ୍ରାୟ ୩ ମାସ ହେଲାଣି ଭିକ୍ଷାବୃତ୍ତି କରି ଚଳୁଥିଲେ। ସେ ଗ୍ରାମର ଗୋଲାପ କୁମାରଙ୍କ ଘରେ ଆଶ୍ରୟ ନେଉଥିଲେ। ଦେବରାଜଙ୍କ ଉଚ୍ଚ ରକ୍ତଚାପ ବୃଦ୍ଧି ଓ ପାରାଲିସିସ ରୋଗ ହେବାରୁ ଆଶ୍ରୟଦାତା ଗୋଲାପ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଘରକୁ ଆଣିଥିଲେ। ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ସ୍ଥାନୀୟ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଦେବରାଜଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଗୋଲାପ କୁମାର ରିଷିଡା ଫାଣ୍ଡିରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ। ଆଜି ରିଷିଡା ଫାଣ୍ଡିଅଧିକାରୀ ମନୁଆ ବିଡ଼ିକା ଭବାନୀପାଟଣା ଡାକ୍ତରଖାନାକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛନ୍ତି। ତେବେ ଶବ ଚିହ୍ନଟ ପାଇଁ ମୃତଦେହକୁ ଜିଲ୍ଲା ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇଛି। ୯୬ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷିତ ରହିବ ବୋଲି ଜଣାପଡିଛି। ଏନେଇ ମ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ