ସରକାରୀ ଜମିରୁ ଗଛ କଟା ଅଭିଯୋଗ , ବରୀ ତହସିଲ ଉଦୟନାଥପୁର
ବରୀ, ୧୫/୧୨ ( ରଂଜିତ ମହାନ୍ତି ) : ପଞ୍ଚାୟତ ମଢିଆଳି ଗାଁର ରହ୍ମେଶ୍ବର ବିଦ୍ୟାପୀଠ ନିକଟରେ ଏକାଧିକ ବଡ଼ ଗଛକୁ ବିନା ଅନୁମତିରେ କଟା ଯାଇଥିବା ତହସିଲ କାର୍ଯ୍ୟାଳୟ ଓ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସରକାରୀ ଜମିରେ ରହିଥିବା ଉକ୍ତ ଗଛଗୁଡ଼ିକୁ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ପ୍ରସନ୍ନ ସାମଲ ଜେସିବି ଲଗାଇ କାଟୁଥିବା ଦେଖି ପ୍ରାକ୍ତନ ସରପଞ୍ଚ ସଚ୍ଚିଦାନନ୍ଦ ମହାକୁଳ ଏବଂ ଗ୍ରାମବାସୀ ବିରୋଧ କରିଥିଲେ |ତହସିଲଦାର ଗଛ ହାଣିବାକୁ ଅନୁମତି ଦେଇଥିବା ପ୍ରସନ୍ନ ଉଚ୍ଚ ସ୍ବରରେ କହିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା | ଘଟଣାକୁ ନେଇ ପ୍ରାକ୍ତନ ସରପଞ୍ଚ ଶ୍ରୀ ମହାକୁଳ ଅଭିଯୋଗ କରିବା ପରେ ତହସିଲଦାର ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ | ଉକ୍ତ ଜମି ସରକାରୀ ପ୍ଳଟ ନଂ ୧୬୩୭ ର ବୋଲି ତଦନ୍ତ ପରେ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନଟି ପୂର୍ବରୁ ଗ୍ରାମ୍ୟ ଜଙ୍ଗଲ ଥିଲାବେଳେ ବର୍ତ୍ତମାନ ପତିତ ଜଣାପଡ଼ିଛି। ଏ ସମ୍ପର୍କରେ ତହସିଲଦାର ଦୀପ୍ତିମୟୀ ବେହେରାଙ୍କୁ ପଚାରିବାରୁ ତହସିଲ ପକ୍ଷରୁ ଜଙ୍ଗଲ ବିଭାଗ ଏବଂ ବରୀ ରାମଚନ୍ଦ୍ରପୁର ଥାନାକୁ ଚିଠି କରାଯାଇଛି ବୋଲି କହିଛନ୍ତି । ବରୀ ରାମଚନ୍ଦ୍ରପୁର ଥାନା ଅଧିକାରିଣୀ କହିଛନ୍ତି, ଲୋକଙ୍କ ଅଭିଯୋଗକ୍ରମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ରାଜସ୍ବ ବିଭାଗର କାର୍ଯ୍ୟାନୁଷ୍ଠାନ ପତ୍ର ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ