ବରଗଡ଼, ୧୧/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଢ଼ାଡଙ୍ଗର ଠାରେ ଗୋଟେ କର୍ଲା ଗଛରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ବୁଧବାର ସନ୍ଧ୍ୟା ସମୟରେ ଗାଇସିଲେଟ ପୋଲିସ ଉଦ୍ଧାର କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ମୃତକଙ୍କ ବେକରେ ଗାମୁଛା ଗୁଡ଼ାଇ ଗଛରେ ଝୁଲୁଥିବାରୁ ଏହା ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଉଛି । ତେବେ ଖବର ପାଇ ଗାଇସିଲେଟ ଥାନାଧିକାରୀ ଏମ.ମିଞ୍ଜ, ସବ୍ ଇନ୍ସପେକ୍ଟର ପ୍ରଦୀପ ତ୍ରିପାଠୀ,ହାବିଲଦାର ରାଜକୁମାର ଯୋଷି,କନେଷ୍ଟବଳ ବିପ୍ର ଭୋଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ତହସିଲଦାର ନେନ୍ସୀ ଖାଲକୋ ଙ୍କ ଉପସ୍ଥିତିରେ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା । ଏନେଇ ଗାଇସିଲେଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠାଯାଇଥିଲା । ଏହି ଅପମୃତ୍ୟୁ ମାମଲା କୁ ଗୁରୁତର ସହିତ ନେଇ ନିଜେ ଆଇ.ଆଇ.ସି ଏମ.ମିଞ୍ଜ ତଦନ୍ତ ଭାର ନେଇଥିବା ବେଳେ ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ । ତେବେ ଆଜି ଘଟଣା ସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାୟ ୨ ଘଣ୍ଟା ସମୟ ଛାନ ଭିନ କରିଥିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ ।।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ
