ଚିତାବେଡା ପଂଚାୟତରେ ଏବେ ବି 138ଟି ଆବାସ ଘର ଅସମ୍ପୂର୍ଣ୍ଣ |
ଝରିଗାଁ, ( ନକୁଳ ଭତ୍ରା ) : ସରକାର ଗରିବ, ଖଟିଖିଆ, ଦିନ ମଜୁରିଆ ତଥା ଅତି ଗରିବ ଶ୍ରେଣୀର ଜନସାଧାରଣ ମାନଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଖଣ୍ଡେ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି |ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ କିପରି ଯୋଜନାଟି ପହଂଚି ପାରିବ ସେଥିପାଇଁ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି |ହେଲେ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କ ଚରମ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଂଚିତ ରହୁଥିବା ବେଳେ ଯେଉଁମାନେ ବି ଏହି ଯୋଜନାରେ ଘର ଖଣ୍ଡେ ଖଣ୍ଡେ ପାଇଛନ୍ତି ସେମାନେ ମଧ୍ୟ ଘର ଗୁଡିକ ଅସମ୍ପୂର୍ଣ୍ଣ ରଖିଥିବା ଦୃଷ୍ଟି ଗୋଚର ହେଉଛି |ମିଳିଥିବା ତଥ୍ୟ ମୁତାବକ ଝରିଗାଁ ବ୍ଲକର ଚିତାବେଡା ପଂଚାୟତକୁ ଆସି ଥିବା 183ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ମଞ୍ଜୁର ହୋଇଥିଲା |ହେଲେ ସେଥିମଧ୍ୟରୁ ମାତ୍ର 45ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ 138ଟି ଘର ଏବେ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି |ପଂଚାୟତରେ ମାତ୍ର 24.59 ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି |ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଚରମ ଅବହେଳା ଯୋଗୁଁ ପଂଚାୟତର ଉନ୍ନତ ମୂଳକ କାର୍ଯ୍ୟ ତଥା ଆବାସ ଯୋଜନା ଆଶା ମୁତାବକ ଫଳପ୍ରଦ ହୋଇ ପାରୁନଥିବା ସାଧାରଣରେ ଅଭିଯୋଗ ହେଉଛି |ହିତାଧିକାରୀ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପରେ କିସ୍ତି ଟଙ୍କା ସବୁ କଣ କରୁଛନ୍ତି, କେଁଉ କାର୍ଯ୍ୟରେ ଲଗାଉଛନ୍ତି ଓ କାହିଁକି ନିର୍ଧାରିତ ସମୟ ମଧ୍ୟରେ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ, ଏସବୁ ସ୍ଥାନୀୟ ସରପଞ୍ଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଦାରଖ କରିବା କଥା, ହେଲେ ସରପଞ୍ଚ ଓ ପିଇଓ ମହାଶୟ ନିଜ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁନଥିବା ଯୋଗୁଁ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |ତେଣୁ ବ୍ଲକ ପ୍ରଶାସନ ଏସବୁ ବିଷୟ ଉପରେ ଗୁରୁତ୍ୱ ଦେବା ସହିତ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣଲୋକେଦାବି କରିଛନ୍ତି |