ଜଗା ଶିଶୁ ସାହିତ୍ୟ ସଂସଦର ୩୨ତମ ବାର୍ଷିକ ଉତ୍ସବ
ବରୀ, ୧୭/୧୧ ( ରଂଜିତ ମହାନ୍ତି ) : ଶିଶୁମାନଙ୍କ ହୃଦୟ ଓ ମସ୍ତିଷ୍କକୁୁ ବିକାଶିତ କରୁଥିବା ସାହିତ୍ୟ ହିଁ ଶିଶୁ ସାହିତ୍ୟ । ଶିଶୁ ମନସ୍କ ହୋଇ ନପାରିଲେ ଶିଶୁ ସାହିତ୍ୟ ଲେଖିବା ସମ୍ଭବ ପର ନୁହେଁ ବୋଲି ବିଶିଷ୍ଟ ଆଲୋଚକ କାମଦେବ ଶତପଥି ପ୍ରକାଶ କରିଛନ୍ତି । ଗୋପବନ୍ଧୁ-ରମାଦେବୀ ଆଶ୍ରମ ବରୀ ପରିସରରେ ଜଗା ଶିଶୁ ସାହିତ୍ୟ ସଂସଦର ୩୨ତମ ସ୍ୱନକ୍ଷତ୍ର ଉତ୍ସବ ସଂସଦର ସଭାପତି କପିଳ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଦିନ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥିଭାବେ ପଣ୍ଡିତ କାମଦେବ ଶତପଥି ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କବି ଭୁବନମୋହନ ମହାନ୍ତି, ମୁଖ୍ୟବକ୍ତାଭାବେ ଡକ୍ଟର ମହେଶ୍ୱର ଜେନାସାମନ୍ତ ଓ ସମ୍ମାନିତ ବକ୍ତାଭାବେ ଶରତ କୁମାର ଦାସ ପ୍ରମୁଖ ଯୋଗ ଦେଇ ଶିଶୁ ସାହିତ୍ୟର ପ୍ରସାର ପ୍ରଚାର ବ୍ୟାପକ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଉପସଭାପତି ଶରତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଡକ୍ଟର ଅଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅନୂସୟା ଜେନାଙ୍କ ସମ୍ପାଦନାରେ ପ୍ରକାଶିତ ଶିଶୁ କିଶୋର ପତ୍ରିକା ଶିଶୁ ସୁଧାର ଶିଶୁୁ ଦିବସ ସଂଖ୍ୟା ଓ କବି ନିର୍ମଳ କୁମାର ଗିରିଙ୍କ ଭ୍ରମଣ କାହାଣୀ ଅନୁବରେ ଆକାଶ ପୁସ୍ତକକୁ ଅତିଥିମାନେ ଲୋର୍କାପଣ କରିଥିଲେ । ଓଡ଼ିଆ ଶିଶୁ ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାଶ, ଶିଶୁ ସାହିତ୍ୟିକ ଚନ୍ଦ୍ରଶେଖର ସାହୁ, ବଟକୃଷ୍ଣ ସ୍ୱାଇଁ, ସତ୍ୟବ୍ରତ ସାହୁ, ସମୀର କୁମାର ପାଢୀ ଓ ଲମ୍ବୋଦର ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୋକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସହସମ୍ପାଦକ ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଏକ ରାଜ୍ୟସ୍ତାରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁୁଷ୍ଠାନର ଉପସଭାପତି ସାହିତ୍ୟିକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଭିମୁନ୍ୟ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରବିନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଗିନିଜ୍ ବୁକ୍ ବିଶ୍ୱ ରେକର୍ଡଧାରୀ ତଥା ପେପରମ୍ୟାନ୍ ଇଣ୍ଡିଆର ସମ୍ପାଦକ ଶଶାଙ୍କ ଶେଖର ଦାଶ ସମ୍ମାନିତ ଅତିଥିଭାବେ ଯୋଇଦେଇଥିଲେ । କବି ଡକ୍ଟର ଅମୂଲ୍ୟ କୁମାର ପଣ୍ଡା ଓ ଝରଣା ମଲ୍ଲିକଙ୍କ ସଂଯୋଜନାରେ ବହୁ କବି ଯୋଗ ଦେଇ କବିତା ପାଠ କରିଥିଲେ ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ