Hot Posts

6/recent/ticker-posts

ଜାତୀୟ ପ୍ରେସ ଦିବସ-୨୦୨୫ ମହାସମାରୋହରେ ପାଳିତ l

ନବରଙ୍ଗପୁର, ୧୬|୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମିଶନ ଶକ୍ତି ସମ୍ମେଳନ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ଜ୍ଵଳନ ଓ ନାରିକେଳ ଫୁଟାଇ ସଭା କାର୍ଯ୍ୟ ଆରମ୍ଭ କରି ସାଂସଦ ଓ ବିଧାୟକ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ କର ମର୍ଦ୍ଦନ କରି ସ୍ୱାଗତ କରିଥିଲେ lଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇ ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଓ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନର ପଥ ପ୍ରଦର୍ଶକ ବୋଲି କହିଥିଲେ l
ସାଂସଦ ନିଜେ କହିଥିଲେ ମୁଁ ବି ଜଣେ ସାମ୍ବାଦିକ ର କାମ କରୁଛି, ଯାହାକି ନବରଙ୍ଗପୁର ଜିଲ୍ଲାର ଖବର ଲୋକସଭାରେ ପ୍ରକାଶ କରି ତାହାର ସମାଧାନ କରିବାରେ ସହଯୋଗ କରୁଛି । ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ପୌର ଅଧ୍ୟକ୍ଷ କୁନୁ ନାୟକ ଯୋଗଦାନ କରିଥିଲେ l ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଲେଖକ ତଥା ଗବେଷକ ଡ଼ଃ ବିଜୟ କୁମାର ମିଶ୍ର ଯୋଗଦେଇ ଗଣମାଧ୍ୟମ ସମାଜର ଶେଷ ଧାଡିରେ ଥିବା ସାଧାରଣ ଜନତାଙ୍କ ସ୍ୱର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ "ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତା ସଂରକ୍ଷଣ" ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିବାବେଳେ ବହୁ ବିଶିଷ୍ଟ ବକ୍ତା ଓ ଗଣମାଧ୍ୟମ ପ୍ରତିନିଧି ନିଜ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାଂସଦ ଇଂ ଶ୍ରୀ ମାଝୀ ଗଣମାଧ୍ୟମ ସମାଜର ଆଇନା ଓ ସ୍ୱଚ୍ଛ ନିରପେକ୍ଷ ସମ୍ବାଦ ପରିବେଷଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଯାହାଦ୍ୱାରା ଅବହେଳିତ ଓ ନିଷ୍ପେସିତ ଜନତାଙ୍କୁ ନ୍ୟାୟ ମିଳିବା ପଥ ପରିଷ୍କାର କରିପାରିବ ବୋଲି ମତବ୍ୟକ୍ତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସଂଯୋଜନା କରିଥିବାବେଳେ ଦିଲ୍ଲୀପ କୁମାର ମଲ୍ଲିକ, ସୁବ୍ରତ ବିଷୋୟୀ, ନୀଳକଣ୍ଠ ନାୟକ ଓ ବିଘ୍ନରାଜ ମାଝୀ ସହଯୋଗ କରିଥିଲେ l ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l