Hot Posts

6/recent/ticker-posts

ପ୍ରଧାନଶିକ୍ଷକଙ୍କ ମନମାନି, ଧାରଣାରେ ବସିଲେ ଛାତ୍ରୀ

ବରୀ, ୦୯ / ୧୦ ( ରଂଜିତ ମହାନ୍ତି ) : ବରୀ ଶିକ୍ଷାମଣ୍ଡଳ ଅଧିନସ୍ଥ ଧାରପୁରସ୍ଥିତ ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷାଦାନ, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଏବଂ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ଛାତ୍ରୀମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରତ୍ନାକର ମଲ୍ଲିକଙ୍କ ମନମାନି ତଥା ନିୟମିତ ଭାବେ ବିଦ୍ୟାଳୟକୁ ନ ଆସିବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଖାଇବାରେ ଅଣ୍ଡା ନ ଦେବା ଏବଂ ଛାତ୍ରୀମାନେ ଏହାର ପ୍ରତିବାଦ କଲେ ଉଚ୍ଚସ୍ବରରେ ତାଙ୍କୁ ଧମକଚମକ ଦେଉଥିବାର ଦୀର୍ଘଦିନ ଧରି ଅଭିଯୋଗ ହୋଇଥିଲା। ମାତ୍ର ସ୍ଥାନୀୟ ଅଭିଭାବକମାନେ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ବି ପ୍ରଧାନଶିକ୍ଷକଙ୍କର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ନ ହେବାରୁ ଛାତ୍ରୀମାନେ ଧାରଣାରେ ବସିଥିଲେ। ଖବର ପାଇ ବରୀ ଶିକ୍ଷାମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ ଓ ୨୧ ନଂ ଜିଲା ପରିଷଦ ସଭ୍ୟ ଅଶୋକ ସାମଲ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କଠାରୁ ସେମାନଙ୍କ ଅଭିଯୋଗ ବିଷୟରେ ଅବଗତ ହୋଇଥିଲେ। ଧାରଣାରେ ବସିଥିବା ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ମଣ୍ଡଳ ଶିକ୍ଷା ଅଧିକାରିଣୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ଶିକ୍ଷା ଅଧୀକାରିଣୀ ପ୍ରତିଶ୍ରୁତି ସିଂ ଓ ଜିଲାପରିଷଦ ସଭ୍ୟ ଅଶୋକ ସାମଲ ତୁରନ୍ତ ଏହି ଅଭିଯୋଗର ତଦନ୍ତ କରାଯାଇ ଶିକ୍ଷାଦାନ କ୍ଷେତ୍ରରେ ଥିବା ସମସ୍ତ ନିୟମାବଳୀକୁ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ। ଏ ବିଷୟରେ ବରୀ ଶିକ୍ଷା ମଣ୍ଡଳ ଅଧିକାରିଣୀ କହିଛନ୍ତି, ଖୁବ୍‌ଶୀଘ୍ର ଛାତ୍ରୀମାନଙ୍କ ଅଭିଯୋଗକୁ ଆଧାର କରି ପଦକ୍ଷେପ ଗ୍ରହଣ କରାଯିବ। ଅପରପକ୍ଷରେ ପ୍ରଧାନଶିକ୍ଷକ ରତ୍ନାକର ମଲ୍ଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ