ଛାତ୍ର ଆଇନଗତ ସାକ୍ଷରତା କ୍ଲବର ଛାତ୍ର ସଦସ୍ୟମାନଙ୍କୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଏବଂ "ଡ୍ରପ୍ ଆଉଟ୍ ଛାତ୍ରଙ୍କ ନାମଲେଖା" କାର୍ଯ୍ୟକ୍ରମ
କଳାହାଣ୍ଡି, ୨୦ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ସରକାରୀ ଉଚ୍ଚ ବିଦ୍ୟାଳୟ ଗଣନାଥପୁର ଠାରେ ଆଜି ଛାତ୍ର ଆଇନଗତ ସାକ୍ଷରତା କ୍ଲବର ଛାତ୍ର ସଦସ୍ୟ ମାନଙ୍କୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଏବଂ "ଡ୍ରପ ଆଉଟ୍ ଛାତ୍ରଙ୍କ ନାମଲେଖା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧି କରଣ ଶ୍ରୀମତୀ ସ୍ନିଗ୍ଧାରାଣୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୂପ ସିଂ ରାଉତ, ସାମ୍ବାଦିକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସ୍ୱାଇଁ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନେଗି ଯୋଗଦାନ କରିଥିଲେ।
ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମହାଖୁଡ ଆସିଥିବା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢକନ୍ ପ୍ରଦାନ କରିବା ସହିତ ଆସନ ଗ୍ରହଣ କରାଇଥିଲେ ଏବଂ ତତ୍ ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ ସଭାର ମୁଖ୍ୟ ଅତିଥି ଶ୍ରୀମତୀ ସ୍ନିଗ୍ଧାରାଣୀ ପଣ୍ଡା "ଡ୍ରପ ଆଉଟ୍" ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟକୁ ନିୟମିତ ଆସିବେ ସେ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଅଧାରୁ ପାଠ ଛାଡିଥିବା ୧୪ରୁ ୧୮ ବର୍ଷ ଛାତ୍ରଛାତ୍ରୀ ମାନେ ମାଗଣାରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ SIOS ରେ ନାମ ଲେଖାଇବେ ସେ ବିଷୟରେ କହିଥିଲେ। ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସିଲେ ତାଙ୍କର ଅଭିଭାବକଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ସଚେତନ କରିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଯେପରି ବିଦ୍ୟାଳୟକୁ ନିୟମିତ ଆସିବେ ସେ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟିଂ