ଝରିଗାଁ ବିଧାୟକଙ୍କ ପାଲିଆ ପଞ୍ଚାୟତ ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା
ଝରିଗାଁ , ୦୧ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତ୍ରା ନିଜ ମଣ୍ଡଳୀର ପାଲିଆ ପଞ୍ଚାୟତ ଗସ୍ତ କରିଛନ୍ତି। ବିଧାୟକ ଶ୍ରୀ ଭତ୍ରା ପ୍ରଥମେ ବଡନୀ ଗ୍ରାମକୁ ଯାଇ ବଡନୀ ହାଟପଦା ତଥା ଆଶ୍ରମ ବିଦ୍ୟାଳୟ ରାସ୍ତା ଦେଖି ସାରିବା ପରେ ଆଶ୍ରମ ବିଦ୍ୟାଳୟରେ ପ୍ରବେଶ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସହିତ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ ଛାତ୍ର ଛାତ୍ରୀମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ଓ ବେଳଝରି ଡୁମରପଦର, ଦିଉଡୁଗୁଡା ଅଭିମୁଖେ ଯାଇଥିଲେ।ବେଳଝରି ଡିଉଡୁଗୁଡା ରାସ୍ତାର ଅବସ୍ଥା ଅନୁଧ୍ୟାନ କରିବା ସହିତ ଜନସାଧାରଣଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।ସେଠାରୁ ଫେରି ସାନ ରାମସା ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖଗପତି ପୂଜାରୀଙ୍କ ପରିବାର ସହିତ ସାକ୍ଷାତ କରି ସୁଖଦୁଃଖ ପଚାରି ବୁଝିବା ପରେ କୁ୍ରୁଙ୍ଗାବେଢା ଗ୍ରାମକୁ ଗସ୍ତ କରିଥିଲେ। କୁରଙ୍ଗାବେଢା ବଡାଯୋଡି ରାସ୍ତାର ଅବସ୍ଥା ଦେଖି ସାରିବା ପରେ ତାମିଲନାଡୁ ଦାଦନ ଯାଇ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଚୈତୁ ମାଝୀଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ପରିବାରର ଅନ୍ୟାନ୍ୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଓ ସମସ୍ୟା ସବୁର ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଯଥାଶୀଘ୍ର ସମସ୍ୟା ସବୁ ସମାଧାନ କରାଯିବ ବୋଲି କହି ସେଠାରୁ ବିଦାୟ ନେଇଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ ପ୍ରତିନିଧି ଧୋଡ୍ରା ପୂର୍ବତନ ମଣ୍ଡଳ ସଭାପତି ମନିରାମ ମାଝୀ ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ ଏସଟି ମୋର୍ଚ୍ଚା କୃଷ୍ଣଚନ୍ଦ୍ର ମାଝୀ ଆତ୍ମା ଚେୟାର ମ୍ୟାନ ଚିତ୍ରପ୍ରସାଦ ତିବାରି ଝରିଗାଁ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଗିରି ପାଣ୍ଡେ ବନୁଆଗଡା ପଞ୍ଚାୟତ ସଭାପତି ପୁସ୍ତମ ଗଣ୍ଡ ପ୍ରମୁଖ ସାଙ୍ଗରେ ରହିଥିଲେ।