ମଦବୋତଲ ଭାଙ୍ଗି ଆକ୍ରମଣ କରି ରକ୍ତାକ୍ତ କଲେ ଦୁଇ ପୁତୁରା
ଦାରିଙ୍ଗବାଡ଼ି, ୦୧ / ୦୮ : – କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳ ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ଘଟଣା ଘଟିଛି, ଯେଉଁଥିରେ ଜଣେ ରକ୍ତାକ୍ତ ବ୍ୟକ୍ତିକୁ ରାତିରେ ଚାରିଛକ ଅଞ୍ଚଳରେ ଘୂରୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଥିଲେ। ଶେଷରେ ଜଣାପଡ଼ିଛି, ଏହି ବ୍ୟକ୍ତି ତେରବାଡ଼ି ଅଞ୍ଚଳର ଧର୍ମେନ୍ଦ୍ର ନାୟକ, ଯିଏ ଦୁଇ ଜଣ ପୁତୁରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସୂତ୍ର ଅନୁଯାୟୀ, ବୃହସ୍ପତିବାର ବିଳମ୍ବିତ ରାତିରେ ସିମନବାଡ଼ି ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ସହ ପୁତୁରାମାନଙ୍କ ମଧ୍ୟରେ ପୁରୁଣା ଦ୍ୱେଷ ଘିରି ବଚସା ଘଟିଥିଲା। ପରେ ଦୁଇଜଣ ପୁତୁରା ମଦ ବୋତଲ ଭାଙ୍ଗି ଧର୍ମେନ୍ଦ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଉଠିଛି। ଶରୀରର ଏକାଧିକ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଧର୍ମେନ୍ଦ୍ର ରାତି ସାରା ଘରେ ରହିଥିଲେ କିନ୍ତୁ କୌଣସି ଚିକିତ୍ସା ନ ହୋଇପାରିଥିଲା। ଶୁକ୍ରବାର ସକାଳେ ଧର୍ମେନ୍ଦ୍ର ଦାରିଙ୍ଗବାଡ଼ି ଥାନାକୁ ଅଭିଯୋଗ ଦେବାକୁ ଆସିଥିବା ବେଳେ, ରକ୍ତାକ୍ତ ଅବସ୍ଥାରେ ଘୂରୁଥିବା ତାଙ୍କୁ ଦେଖି ଥାନାରେ ଅନେକେ ଚମକିଯାଇଥିଲେ। ଘଟଣା ସଂପର୍କରେ ଥାନା ସବ୍ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ କହିଛନ୍ତି, “ଧର୍ମେନ୍ଦ୍ରଙ୍କୁ ତୁରନ୍ତ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଚିକିତ୍ସା ପରେ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯିବ।” ଘଟଣା ସହ ବନ୍ଧିତ ଅନ୍ୟ ବିବରଣୀ ପାଇଁ ତଦନ୍ତ ଜାରି ରହିଛି। ପୁରୁଣା ଦ୍ୱେଷ କି ଅନ୍ୟ କୌଣସି କାରଣ ଏହି ଆକ୍ରମଣ ପଛରେ ଅଛି – ତାହା ତଦନ୍ତ ପରେ ପ୍ରକାଶ ପାଇବ।