"ଧାନ ତଳି ରୋଇ ରାସ୍ତା ପାଇଁ ପ୍ରତିବାଦ — ଡ଼ାଳି ଆମ୍ବାରେ ମହିଳାମାନେ ଦେଲେ ପ୍ରଶାସନକୁ ଚେତାବନୀ"
ଝରିଗାଁ, ୯ / ୭ (ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ସଦର ମହକୁମା ନିକଟସ୍ଥ ଡ଼ାଳି ଆମ୍ବା ୱାର୍ଡ ନଂ-୧ ରେ ବର୍ତ୍ତମାନ ରାସ୍ତା ଅବସ୍ଥା ଏତେ ଦୟନୀୟ ହୋଇପଡିଛି ଯେ, ଏହା ଦେଖି ସ୍ଥାନୀୟ ମହିଳାମାନେ ଧାନ ତଳି ଧରି ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି। ରାଧାକୃଷ୍ଣ ମନ୍ଦିର ଛକ ନିକଟରେ ତଳି ରୋଇଥିବା ଏହି ଦୃଶ୍ୟ ଗାଁରେ ଗଭୀର ଅସନ୍ତୋଷ ବିକାଶ ପାଇଥିବାର ସୂଚନା ଦେଉଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ବିଗତ କେତେକ ବର୍ଷ ଧରି ସେମାନେ ଏହି ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ଦାବି କରୁଥିଲେ, କିନ୍ତୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ ଏହି ବାଇପାସ ରାସ୍ତା କାଦୁଅ , ଗାତ ଓ ଅଧା ଖୋଦା ଅବସ୍ଥାରେ ଥିବାରୁ ଯାନବାହାନ ଚଳାଚଳ ଦୁର୍ଘଟନାପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକେ , ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା ଓ ରୋଗୀମାନେ ଦିନକୁ ଦିନ ଯାତ୍ରା କରିବାରେ ଅସୁବିଧା ଅନୁଭବ କରୁଛନ୍ତି। ପାନୀୟ ଜଳ ଯୋଗାଣ ପାଇଁ ଫାଟିଥିବା ରାସ୍ତା ରେ ପୋତାଯାଇଥିବା ପାଇପ ଏବଂ ଅଧୂରା ନିମ୍ନମାନର ଡ୍ରେନ ବ୍ୟବସ୍ଥା ବର୍ଷା କାଦୁଅ ବିପଦ ସୃଷ୍ଟି କରିଛି। ଚାରି ମାସ ତଳେ ଡ୍ରେନ ପରିଷ୍କାର ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ଏହି ବ୍ୟବସ୍ଥା ପୁଣି ଧ୍ୱସ୍ତ ହୋଇଛି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ —"ଏକ ପକ୍କା ରାସ୍ତା ପାଇଁ ଅମେ ଅନେକ ଥର ଅନୁରୋଧ କରିଛୁ। ପ୍ରଶାସନ ଶୁଣୁନଥିବାରୁ ଆମେ ବାଧ୍ୟ ହୋଇ ଧାନ ତଳି ଧରି ପ୍ରତିବାଦ କରୁଛୁ। ଯଦି ତୁରନ୍ତ ରାସ୍ତା ନିର୍ମାଣ ଆରମ୍ଭ ନହୁଏ, ଆମ ପ୍ରତିବାଦ ଆଉ ଅଧିକ ତୀବ୍ର ହେବ।" — ବୋଲି ଜଣେ ମହିଳା ପ୍ରତିବାଦକାରୀ କହିଛନ୍ତି। ଏହି ଘଟଣା ପରେ ଏବେ ପ୍ରଶାସନ କଣ ପଦକ୍ଷେପ ନେଉଛି — ତାହା ଦେଖିବାକୁ ବାକି। ତେବେ ଡ଼ାଳି ଆମ୍ବା ୱାର୍ଡବାସୀ ଆଶା କରୁଛନ୍ତି ଯେ ଏହି ବାର୍ତ୍ତା ସରକାରୀ ମାନସିକତାକୁ ଉତ୍ତେଜିତ କରିପାରିବ।