Hot Posts

6/recent/ticker-posts

ଟିପର ଧକ୍କାରେ ଯୁବକଙ୍କ ମୃତ୍ୟୁ, ଶବ ରଖି ରାସ୍ତା ଅବରୋଧ

ନବରଙ୍ଗପୁର, ୪ / ୭ ( ନକୁଳ ଭତ୍ରା ) : ଡାବୁଗାଁ ବ୍ଲକ ଅନ୍ତର୍ଗତ ଦୈନିକ ବଜାର ନିକଟରେ ଆଜି ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଠାରେ ଟିପର ଧକ୍କାରେ ଜଣେ ଯୁବକ ନିଜ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିଚୟ ଡାବୁଗାଁ ଅଞ୍ଚଳର ରାଜୁ ଯାଦବ ଭାବେ ହୋଇଛି। ସେ ଜଣେ ନିମ୍ନମଧ୍ୟମ ବର୍ଗର ବ୍ୟକ୍ତି ଥିଲେ, ଯିଏ କୋଡ଼ ଅଞ୍ଚଳରେ ଜଳଖିଆ ଦୋକାନ ଖୋଲି ନିଜ ପରିବାର ଜୀବିକା ଚଲାଉଥିଲେ। ଘଟଣା ସମୟରେ ରାଜୁ ଯାଦବ ଦୋକାନରୁ ରାସ୍ତା ପାର କରୁଥିବା ବେଳେ, ଡାବୁଗାଁରୁ ବୋରିଗାଁ ଦିଗକୁ ବେଗରେ ଯାଉଥିବା ଏକ ଟିପର (ପଞ୍ଜୀକୃତ ସଂଖ୍ୟା: OD-26-G-3630) ସହ ଧକ୍କା ହୋଇଥିଲା। ଧକ୍କାର ତିବ୍ରତା ଏତେ ବେସି ଥିଲା ଯେ ରାଜୁ ଟିପର ଚକା ତଳେ ପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଦୁର୍ଘଟଣା ପରେ ଟିପର ଚାଳକ ଘଟଣା ସ୍ଥଳରୁ ପଳାୟନ କରିଯାଇଥିଲେ। ମୃତକଙ୍କ ପୁଅ ତତ୍କାଳ ଡାବୁଗାଁ ଥାନାକୁ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ମାମଲା ରୁଜୁ କରିଛି। ତେବେ ଏହି ଦୁଃଖଦ ଘଟଣା ପରେ ପରିବାର ପକ୍ଷରୁ ଅର୍ଥିକ କ୍ଷତିପୂରଣ ଦାବି ଉଠିଥିଲା। ଏହି ଦାବି ପୂରଣ ନ ହେବା ପରେ ପରିବାର ଓ ଗ୍ରାମବାସୀମାନେ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଶବ ରଖି ରାସ୍ତା ଅବରୋଧ କରି ଅନ୍ଦୋଳନ କରିଥିଲେ। ପୋଲିସ ପ୍ରଶାସନ ଦ୍ୱାରା ଅନେକ ପ୍ରୟାସ ଚାଲିଥିଲେ ମଧ୍ୟ ସେମାନେ ଶବ ହଟାଇନଥିଲେ। ଶେଷରେ ଡଙ୍ଗରିଗୁଡ଼ା ସରପଞ୍ଚ ତରଫରୁ ₹3000 ଏବଂ ଡାବୁଗାଁ ଆର.ଆଇ ଚୈତନ ବେହେରା ରେଡ୍ କ୍ରସ ପାଣ୍ଠି ତରଫରୁ ₹10,000 ଅର୍ଥିକ ସାହାଯ୍ୟ ଦେବା ପରେ ଅନ୍ଦୋଳନ କ୍ରମେ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା ଓ ରାସ୍ତା ଅବରୋଧ ହଟିଗଲା।