ବକଡ଼ା ବେଡ଼ା ଗ୍ରାମରେ ଆଦିବାସୀ ଭିମା ଦେବତାଙ୍କ ଯାତ୍ରା ଉତ୍ସବ ଉତ୍ସାହରେ ଅନୁଷ୍ଠିତ
ଝରିଗାଁ,୩ / ୭ ( ନକୁଳ ଭତ୍ରା ) : ଆଜି ଆଷାଢ଼ ମାସ ଶୁଭ ଅବସରରେ ଝରିଗାଁ ବ୍ଲକ ଅଧିନରେ ଥିବା ଏକ ବିରଳ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ଗ୍ରାମ ବକଡ଼ା ବେଡ଼ା ରେ ଭିମା ଦେବତାଙ୍କ ପାରମ୍ପରିକ ଯାତ୍ରା ଉତ୍ସବ ଉତ୍ସାହ ଓ ଧାର୍ମିକ ଭାବଗର୍ବିତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଏକ ବିଶିଷ୍ଟ ସମୟରେ — ଶ୍ରୀ ଗୁଣ୍ଡିଚା ଯାତ୍ରା ଓ ବାହୁଡା ମଧ୍ୟବର୍ତ୍ତୀ ଦିନ ଉପଲକ୍ଷେ — ଅନୁଷ୍ଠିତ ହୁଏ। ଆଦିବାସୀ ପରମ୍ପରାଅନୁଯାୟୀ ଭିମା ଦେବତାଙ୍କୁ ଗ୍ରାମ ରକ୍ଷକ ଓ ଶକ୍ତି ସ୍ୱରୂପ ଭାବରେ ବିଶ୍ୱାସ କରାଯାଏ, ଯାହାକି ସତ୍ୟ ଓ ସାହସର ପ୍ରତୀକ ବୋଲି ଲୋକମାନେ ମନେ କରନ୍ତି। ଉତ୍ସବ ସମୟରେ ଗାଁ ର ଛୋଟ ବଡ଼ ସମସ୍ତେ ଏକତ୍ରିତ ହୋଇ ଗାଁର ପୂଜାରୀ ଦୁର୍ଯ୍ୟୋଧନ ମାଝୀଙ୍କ ନେତୃତ୍ୱରେ ଭିମା ଦେବତାଙ୍କୁ ପୂଜା ଅର୍ପଣ କରିଥିଲେ। ପାରମ୍ପରିକ ଢଙ୍ଗରେ ହେଉଥିବା ଏହି ପୂଜାରେ ଧୂପକାଠି, ମୁଣ୍ଡିଆ ମାରିବା ଓ ମନୋକାମନା ପ୍ରକାଶ ନିମନ୍ତେ ଶ୍ରଦ୍ଧାଳୁମାନେ ଭିମା ଦେବତା ଙ୍କ ନିକଟକୁ ଆସି ନିଜ ଦୁଃଖ-ଦୁର୍ଦ୍ଦଶା ବ୍ୟକ୍ତ କରିଥିଲେ। ବକଡ଼ା ବେଡ଼ା ଗ୍ରାମରେ ଏହି ପାରମ୍ପରିକ ଉତ୍ସବ କେବଳ ଧାର୍ମିକ ବିଶ୍ୱାସ ନୁହେଁ, ଏହା ଏକତା, ସଂସ୍କୃତିକ ଐତିହ୍ୟ ଓ ଆଦିବାସୀ ମାନସିକତାର ଅମୂଲ୍ୟ ପରିଚୟ ଦେଉଛି।