ନିଜ ଅର୍ଥରେ ରାସ୍ତା ନିର୍ମାଣ କରି ଦୃଷ୍ଟାନ୍ତ ସୃଷ୍ଟି କଲେ ବିଧାୟକ ନରସିଂହ ଭତ୍ରା
ଝରିଗାଁ, ୧୦ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ନିର୍ବାଚନମଣ୍ଡଳୀର ଜଣାଶୁଣା ଓ ଜନପ୍ରିୟ ବିଧାୟକ ନରସିଂହ ଭତ୍ରା ପୁଣି ଥରେ ଦେଖାଇଛନ୍ତି ଯେ ବିଧାୟକ ହେବାର ଅର୍ଥ କେବଳ ଶାସନ ଓ ବକ୍ତୃତା ନୁହେଁ, ବରଂ ଜନତାଙ୍କ ଦୁଃଖରେ ସାମିଲ ହୋଇ ସମାଧାନ ଦେବା ତାଙ୍କ ଅଟୁଟ କର୍ତ୍ତବ୍ୟ । ସାମ୍ପ୍ରତିକ ଦିନରେ ବିଧାୟକ ଭତ୍ରା ଝରିଗାଁ ବ୍ଲକର ରତାଖଣ୍ଡିଗୁଡ଼ା ଗ୍ରାମପଞ୍ଚାୟତ ଅଧୀନ ବିରିଡଙ୍ଗରି ଗୁଲିବଡନା ହାମଲେଟ ଓ ନୂଆଗୁଡ଼ା ଧୋଡ୍ରା ଗ୍ରାମପଞ୍ଚାୟତ ବୁଲିବା ସମୟରେ ଦେଖିଥିଲେ ଯେ ଏହି ଅଞ୍ଚଳର ମଧ୍ୟରେ ଯାତାୟାତ ପାଇଁ ରାସ୍ତାର ଅବସ୍ଥା ବହୁତ ଦୟନୀୟ। ସେ ତତ୍କ୍ଷଣାତ୍ ଗ୍ରାମର ଯୁବ ଗୋଷ୍ଠୀ ସହିତ କଥା ହୋଇ, କୌଣସି ସରକାରୀ ଅନୁମୋଦନ ଅପେକ୍ଷା କରିବାରେ ବିଳମ୍ବ କରିନଥିବା ବିଧାୟକ ନିଜ ଅର୍ଥ ଖର୍ଚ୍ଚ କରି, ନିଜ ଉପସ୍ଥିତିରେ ଏକ କି.ମି. ରାସ୍ତା ନିର୍ମାଣ କରାଇ ଦେଲେ। ଏହି ରାସ୍ତା ବିରିଡଙ୍ଗରି ଠାରୁ ଗୁଲିବଡନା ହୋଇ ଧୋଡ୍ରା ଗ୍ରାମପଞ୍ଚାୟତକୁ ସଂଯୋଗ କରେ, ଯାହା ଏବେ ଗ୍ରାମବାସୀଙ୍କ ପାଇଁ ଭଳ ଯାତାୟାତ ସୁବିଧା ସୃଷ୍ଟି କରିଛି। ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ବିଧାୟକଙ୍କୁ ଗ୍ରାମବାସୀ ଭୂୟସୀ ଭାବେ ପ୍ରଶଂସା କରି କହିଛନ୍ତି: "ବିଧାୟକ ହେବା ମାନେ ଯଦି ଏପରି ନିଷ୍ଠା ସହିତ ଲୋକମାନଙ୍କ ଦୁଃଖରେ ସାମିଲ ହେବା ଥାଏ, ତେବେ ଆମ ପ୍ରତିନିଧି ମଧ୍ୟ ଏପରି ହେବା ଦରକାର।" ଏହି ଘଟଣା ତଥା ବିଧାୟକ ଭତ୍ରାଙ୍କ କାର୍ଯ୍ୟ ପଦ୍ଧତି ଏକ ଦୃଷ୍ଟାନ୍ତ ରୂପେ ଉପସ୍ଥାପିତ ହୋଇଛି, ଯାହା ସୂଚାଏ ଯେ ଯଦି ଇଚ୍ଛାଶକ୍ତି ଓ ନିଷ୍ଠା ଥାଏ, ତେବେ ରାଜନୈତିକ ପଦବୀ ଲୋକ ସେବାର ଏକ ଶକ୍ତିଶାଳୀ ଉପାୟ ହୋଇପାରେ।