--ପ୍ରତିଶ୍ରୁତି--
--ପ୍ରତିଶ୍ରୁତି--
ପ୍ରତିଶ୍ରୁତି ଦେଇ ଚାଲିଗଲ ପ୍ରିୟା
ଫେରିନ ଏ ଯାଏଁ ଆଉ।
ବିଚ୍ଛେଦ କଷଣେ ଖାଆଁ ଖାଆଁ ଲାଗେ
ତୁମ ପଥ ଚାହୁଁ ଚାହୁଁ।।
ଭୁଲ୍ କିବା କେବେ ରହିଲା କେଉଁଠି
ପ୍ରେମ ଗଳ୍ପ ହେଉ ହେଉ।
ସଜାଡ଼ିବା ପାଇଁ କହିଲନି କିଆଁ
ମୁଁ ଅବା ଜାଣିବି କାହୁଁ।।
ପ୍ରେମର କାହାଣୀ ଲେଖୁ ଲେଖୁ ଯଦି
ପୃଷ୍ଠା ଓଲଟିଛି କାହୁଁ।
ଓଲଟା ପୃଷ୍ଠାଟି ସାଦା ରହିଥାଏ
ଗଳପ ସରି ନ ଯାଉ।।
ବର୍ଣ୍ଣାଶୁଦ୍ଧି ଯେବେ ହୋଇ ଯାଇଥାଏ
ଶୁଦ୍ଧ କି ନୁହଁଇ ଆଉ।
ପ୍ରେମ ସାହିତ୍ୟର ବ୍ୟାକରଣ ଖୋଜି
ସୁଧାରିବା ସତ୍ୟ ସେହୁ।।
ଆଉ କାହା ପାଶେ ଶୁଦ୍ଧ ପ୍ରେମକାବ୍ୟ
ପଢିଲ କି ଯାଉ ଯାଉ।
ପ୍ରତିଶ୍ରୁତି ଦେଇ ଯାଇଥିଲ ବୋଲି
ଏ ବିଚାର ଭ୍ରମ ନୋହୁ।।
ପ୍ରେମର ସଙ୍ଗୀତ ସୁମଧୁର ଥିଲା
ଛନ୍ଦ ତାଳେ ଗାଉ ଗାଉ।
ସୁର ବିନେ କିବା ଆତ୍ମ ପ୍ରବୋଧନା
ମିଳିବ କି କେବେ କାହୁଁ?
ତୁମରି ବିହୁନେ ପ୍ରେମର ଉଦ୍ୟାନେ
ବହୁନି ବସନ୍ତ ଆଉ।
ବସନ୍ତ ବିହୁନେ କୋଇଲି ସରାଗେ
ଗାଉନି ତ କୁହୁ କୁହୁ।।
ପ୍ରତିଶ୍ରୁତି ରଖି ଫେରିଆସ ପ୍ରିୟା
ସାଧନି ବିଚ୍ଛେଦ ଦାଉ।
ତୁମ ଆଗମନେ ଏ ପ୍ରେମ ଉଦ୍ୟାନେ
ଶୁଭିବ କୋଇଲି କୁହୁ।।
ପ୍ରେମିକ ପ୍ରେମିକା ବିହୁନେ କି ଏକା
ପଢିଛ କି ଗଳ୍ପ କାହୁଁ।
ଏକଇ ପ୍ରେମିକ ଏକଇ ପ୍ରେମିକା
ଆତ୍ମୀୟତା ବ୍ରତ ହେଉ।।
ନରସିଂହ ମହାରଣା,
ଗଣେଶ ନଗର,
ସମ୍ବଲପୁର।
ତା.୧୩.୦୬.୨୦୨୫