ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା
**************
ଲକ୍ଷ ଲକ୍ଷ ଭକ୍ତ ରହିଛନ୍ତି ଚାହିଁ
ପ୍ରଭୁ ଆସିବେ ବାହାରି
ସ୍ନାନବେଦୀ ପରେ ଆସିଣ ବସିବେ
ପ୍ରଭୁ ନିଳାଦ୍ରୀ ବିହାରୀ।
ରଡ଼ି ଛାଡ଼ିଲେଣି ଜଗତ ଗୋସାଇଁ
କିମ୍ପା ବିଳମ୍ବ ହେଉଛି
ବଡ଼ଦାଣ୍ଡ ଆଜି ଭକ୍ତ ଗହଣରେ
ପଡୁଛି ଆଉ ଉଠୁଛି।
ଚତୁର୍ଦ୍ଧା ମୂରତୀ ବିଜେ ହେବେ ଆସି
ସ୍ନାନ ମଣ୍ଡପ ଉପରେ
ସେବକ ପଣ୍ତିତ ଅପେକ୍ଷା ରେ ତୁମ
ରହିଛନ୍ତି ସେହିଠାରେ।
ସୁନ୍ଦର ତୋରଣରେ ପୁଷ୍ପ ସାଜସଜ୍ଜା
ସୁଗନ୍ଧ ବିରତି ଯାଏ
ଦିବ୍ୟ ମଣ୍ଡପକୁ ଅନାଇ ଭକତ
ହରିବୋଲ କହୁଥାଏ।
ଘଣ୍ଟ ମାରଦଳ କାହାଳୀ ମହୂରୀ
ବାଜୁ ଅଛି କି ସୁନ୍ଦର
ହୁଳହୁଳି ଶବ୍ଦେ ବଡ଼ଦାଣ୍ଡ କମ୍ପେ
ଆସ ଜଗତ ଠାକୁର।
ଶିରି ମନ୍ଦିର ର ସୁବର୍ଣ୍ଣ କୂଅରୁ
ଗଙ୍ଗା ଯମୁନା ର ଜଳ
ଶହେ ଆଠ ଗରା ସୁବର୍ଣ୍ଣ କଳସୀ
ଆସିଛି ହେ ଆଦିମୂଳ।
ମନ୍ତ୍ର ଶୁଦ୍ଧ କରି କରାଯାଇଅଛି
ଚନ୍ଦନ କସ୍ତୁରୀ ଦେଇ
କର୍ପୂର ମିଶିଛି ଦିଗ ଚହଟୁଛି
ତୁମ ଦିବ୍ୟ ସ୍ନାନ ପାଇଁ।
ପଞ୍ଚତ୍ରିଶ ଗରା ଜଗା ଗାଧୋଇବେ
ଗ୍ରୀଷ୍ମ ସହି ନ ପାରିଣ
ତେତିଶି ଗରା ଯେ ବଡ଼ଭାଇ ଙ୍କର
ଗାଧୋଇବେ ଭଗବାନ।
ବାଇଶି ଗରାକୁ ହଳଦି ମୁହିଁ ଯେ
ସ୍ନାନ କରିବେ ବେଦୀରେ
ଅଠର ଗରା କୁ ପ୍ରଭୁ ସୁଦର୍ଶନ
ଢାଲିବେ ତାଙ୍କ ଶରୀରେ।
ଯମୁନା କୂଳରେ ଚୋରାଇଲେ ବସ୍ତ୍ର
ଗୋପ ଗୋପାଳୁଣୀଙ୍କର
କହିଥିଲେ ସେଠି ଗୋପାଳୁଣୀମାନେ
ହେବ ବସ୍ତ୍ର ହୀନ ତୋର।
ସେହି ପାପୁ ମୁକ୍ତି ପାଇବାପାଇଁ କି
ନଗ୍ନ ହୁଅନ୍ତି ଠାକୁର
ବଡ଼ଦାଣ୍ଡ ଠାରେ ଭକ୍ତ ଗହଳିରେ
ଦେବସ୍ନାନ ହୁଏ ତାର।
ସେହି ସ୍ନାନ ଜଳ କରିଲେ ଭକ୍ଷଣ
ସବୁ ପାପ କ୍ଷୟ ହୁଏ
ରଖ ଦୀନବନ୍ଧୁ ହେ କରୁଣାସିନ୍ଧୁ
ପାଦେ ମୁଁ ଶରଣ ଯାଏ।
ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା ଗଜପତି