ଅତିରିକ୍ତ ତହସିଲଦାର ଉପରେ ମାଫିଆଙ୍କ ନିର୍ଘାତ ଆକ୍ରମଣ, ଗିରଫ ହେଲେ ତିନି ଅଭିଯୁକ୍ତ
ଉଦଳା, ୪ / ୬ : ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇଥିବା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ମାଫିଆ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ପରେ ଉଦଳା ପୋଲିସ ୩ ଜଣ ଅଭିଯୁକ୍ତ ବାଲି ମାଫିଆଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର ମହାନ୍ତି। ଘଟଣାର ୨ ଦିନ ପରେ ପୋଲିସ ତାଙ୍କୁ ଗିରଫ କରି ପଚାରାଉଚାରା ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କପ୍ତିପଦା ଅଞ୍ଚଳର ଏକାଧିକ ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ବ୍ଲକ ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ତଦନ୍ତ ପାଇଁ ନିଜ କାର (OD11AA-5589) ଯୋଗେ ତହସିଲ କାର୍ଯ୍ୟାଳୟରେ ଯାଉଥିଲେ। ଯିବା ପଥରେ ଅନୁମାନ କରିନଥିଲେ ଯେ ତାଙ୍କୁ ମୃତ୍ୟୁ ସହ ଆମନ୍ତ୍ରଣ ମିଳିବ। ଏହି ମଧ୍ୟରେ, ପ୍ରାୟ ୨୦-୨୫ ଜଣ ଦୁର୍ବୃତ୍ତ ତାଙ୍କ ଘେରି ଗାଳିଗୁଲଜ, ଧମକ ଓ ପଥର ଛେଚି ତାଙ୍କ କାରକୁ ଭାଙ୍ଗି ଦେଇଥିଲେ। ଜୀବନବିକଳ ଅବସ୍ଥାରେ ଥାନା ପାଖକୁ ନିଜ ଗାଡି ନେଇ ଦୌଡ଼ିଲେ, କିନ୍ତୁ ଥାନା ଗେଟ୍ ବନ୍ଦ ଥିବା ହେତୁ ଭିତରକୁ ପ୍ରବେଶ କରିପାରିଲେ ନାହିଁ। ଏହି ସମୟରେ ଦୁର୍ବୃତ୍ତମାନେ ଗାଡି ଉପରେ ପଥର ଫିଙ୍ଗି ଭାଙ୍ଗି ଦେଇ ତାଙ୍କୁ ଟାଣି ନିର୍ଘାତ ମାଡ଼ ମାରିଥିଲେ। ସମୟନ୍ତରାଳରେ ଥାନା କର୍ମଚାରୀମାନେ ଗେଟ୍ ଖୋଲି ଆସିଲେ, ଫଳରେ ଆକ୍ରମଣକାରୀମାନେ ପଳାଇଗଲେ। ଏହି ଘଟଣା ଉପରେ ଶ୍ରୀ ମାଝୀ କପ୍ତିପଦା ଥାନାରେ ଏତଲା ଦେଇଥିଲେ, ଯାହା ଉପରେ ମାମଲା (କେସ୍ ନଂ-୧୩୪/୨୫) ରୁଜୁ କରାଯାଇଛି। ଉପଖଣ୍ଡ ପୁଲିସ ଅଧିକାରୀ ହୃଷୀକେଶ ନାଏକ ଘଟଣାର ତଦନ୍ତ କରୁଛନ୍ତି। ଥାନା ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଦୁଷ୍କୃତୀମାନେ କିଏ, ତାହା ଚିହ୍ନଟ କରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି।