ଦୁର୍ଲ୍ଲଭ ନର କଳେବର
!! ଦୁର୍ଲ୍ଲଭ ନର କଳେବର !!
ଦୁର୍ଲ୍ଲଭ ନର କଳେବର
ବିଜେ କରନ୍ତି ଚକ୍ରଧର,
ପ୍ରେରଣା ଦ୍ୟନ୍ତି ସତ୍ୟ ପଥ
ନ୍ୟାୟ ଧର୍ମର ବିଜେ ରଥ l୧l
କାଷ୍ଟ ପାଷାଣ ତରୁ ତୃଣ
ସକଳ ଘଟେ ନାରାୟଣ
କାହାକୁ ନ କରିବ ହୀନ
ବିଧାତା ସୃଷ୍ଟିର କାରଣ l୨l
କରି କରାଉ ଥାଏ ସେହି
ଅଦୃଶ୍ୟ ଶକ୍ତି ମନ ବିହି
ତ୍ୟାଗ ସନ୍ତୋଷ୍ଟ ନିଷ୍ଠା ସେବା
ପରୋପକାରେ ଧ୍ୟାନ ଦେବା l୩l
କରୁଣା ସତ୍ୟ ନ୍ୟାୟ ଧର୍ମ
କର୍ତ୍ତବ୍ୟ କର ନିଜ କର୍ମ
ଅହିଂସା ପଥେ ଚାଲୁଥିବ
ଈଶ୍ୱର ଭକ୍ତି କରୁ ଥିବ l୪l
ଇନ୍ଦ୍ରିୟ ସଂଯମେ ବେଭାର
ଆଚରଣ ଯେ ସୁଵିଚାର
ଲୋଭ ମୋହର ମାୟା ଜାଲେ
ପଡିଲେ ଯିବ ରସାତଳେ l୫l
ଦୁଃଖି ରଙ୍କିଙ୍କୁ ଦାନ ଦେବ
ଭୋକିଲା ଉଦର ପୋଷିବ
ବିପଦେ ପଡି ଥିବା ଜନ
ସାହାଯ୍ୟ କର ବିଜ୍ଞ ଜନ l୫l
ଆଳସ୍ୟ ପଣ ତ୍ୟାଗ କର
କର୍ତ୍ତବ୍ୟେ ହୁଅ ଧୁରନ୍ଧର
ବିଷମ ଜଞ୍ଜାଳ ସଂସାର
ପ୍ରତିକୂଳରେ ମଙ୍ଗ ଧର l୬l
ରାମଙ୍କ ନାମ ସୁଧା ପାନ
ମୁକ୍ତିର ପଥ ସୁଗମନ
ତୁଣ୍ଡରେ ଥିବ ନାରାୟଣ
ରଖିବେ ଶ୍ରୀମଧୁସୂଦନ l୮l
କର୍ମେ ଶୟନେ ଜାଗରଣେ
ହରିଙ୍କୁ ଭଜ ଉଚ୍ଚାରଣେ
ବିପଦେ ରଖିବେ ଶ୍ରୀହରି
ତରିବୁ ଭବ ସିନ୍ଧୁ ପାରି l୯l
ଗର୍ବରେ ହୁଅ ନାହିଁ ଅନ୍ଧ
ଧୈର୍ଯ୍ୟର ଭାଙ୍ଗିଯିବ ବନ୍ଧ
ସେନେହ ଶ୍ରଦ୍ଧା ଭାବ ମୈତ୍ରୀ
ସର୍ବ ଜନକୁ ଦିଏ ଶାନ୍ତି l ୧୦
କବି ଭାରତୀ ବାସନ୍ତୀ ଲତା ଜେନା
( ନବାକ୍ଷରୀ ଛାନ୍ଦ )
ଗାନ୍ଧୀନଗର, ପୋଷ୍ଟ/ ଜିଲ୍ଲା: ନବରଙ୍ଗପୁର
*ଉପହାର*
ଶ୍ରେଷ୍ଠ ଉପହାର ମଣିଷ ପଣିଆ
ବନ୍ଧୁତ୍ୱର ନିଦର୍ଶନ
ସ୍ନେହ ଶ୍ରଦ୍ଧା ପ୍ରେମ ଯେଉଁ ଠାରେ ଥାଏ
ସଂପର୍କ ତ ଚିରନ୍ତନ l୧l
ନିଃସ୍ୱାର୍ଥ ପ୍ରେମର ଉପହାର ଦାନ
ଯୁଗର ଗାରିମା ଗାଏ
ବିପଦେ ଆପଦେ ସହଯୋଗ କଲେ
ସ୍ମୃତି ଉପହାର ହୁଏ
ଅର୍ଥର ଲାଳସା ବସ୍ତୁ ଉପହାର
ଆଶା ପ୍ରତ୍ୟାଶାର ଦାନ
ଶ୍ରେଷ୍ଠ ଉପହାର ମଣିଷ.... l୨l
ସ୍ରଷ୍ଟାଙ୍କର ସୃଷ୍ଟି ଅତି ମନୋହର
ଜଗତକୁ ଉପହାର
ଆକାଶର ମେଘ ଧରଣୀରେ ବର୍ଷା
ପ୍ରକୃତିର ଉପହାର
ସୂର୍ଯ୍ୟ ଚନ୍ଦ୍ର ତାରା ସାଗର ପର୍ବତ
ଉପହାରେ ଦ୍ୟନ୍ତି ଦାନ
ଶ୍ରେଷ୍ଠ ଉପହାର ମଣିଷ... l୩l
ସନ୍ତାନ ସନ୍ତତି ପିତା ମାତାଙ୍କର
ଭଗବାନ ଉପହାର
ମନ ଆନନ୍ଦରେ ସଂସାରେ ଚଳନ୍ତି
ଖୁସିକୁ କରି ସମ୍ଭାର
ବାର୍ଦ୍ଧକ୍ୟରେ ତାଙ୍କ ସେବା ଯତ୍ନ କଲେ
ଧନ୍ୟ ସନ୍ତାନ ଜୀବନ
ଶ୍ରେଷ୍ଠ ଉପହାର ମଣିଷ.... l୪l
ପ୍ରତି ଯୋଗୀତାରେ ବିବାହ ବ୍ରତରେ
ମିଳିଥାଏ ଉପହାର
ଉପହାର ଦେବା ଉପହାର ନେବା
ପ୍ରଶଂସା ମାନ୍ୟ ସଭି'ର
ଉପହାର ଦିଏ ମନକୁ ପ୍ରଶାନ୍ତି
ପୁଲକିତ ହୁଏ ପ୍ରାଣ
ଶ୍ରେଷ୍ଠ ଉପହାର ମଣିଷ.... l୫l
ସାହିତ୍ୟ କ୍ଷେତ୍ରରେ ଅଗ୍ରଣୀ ହୋଇଲେ
ଅବା ଶିକ୍ଷା କ୍ଷେତ୍ରେ ସ୍ଥାନ
ମାନ ପତ୍ର ମିଳେ ଉପହାର ହୋଇ
ତୃପ୍ତିରେ ଭରଇ ମନ
ଭକ୍ତି ଉପହାର ଈଶ୍ୱରଙ୍କୁ ଦାନ
ଆଶୀର୍ବାଦ ଶ୍ରୀଚରଣ
ଶ୍ରେଷ୍ଠ ଉପହାର ମଣିଷ... l୬l
କବି ଭାରତୀ ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା :ନବରଙ୍ଗପୁର