କବିତା - ବର୍ଷାରାଣୀ
ବର୍ଷାରାଣୀ
ଆଗୋ ବର୍ଷାରାଣୀ ଚପଳ ଚାହାଣୀ
ଚପଳା ସାଥି ତୋହର,
ତୋ ସାନିଧ୍ୟ ପାଇଁ ରହିଛନ୍ତି ଚାହିଁ
ନଦ ନଦୀ ପୁଣି ଝର।
ପ୍ରକୃତିର କାନ୍ତି ପ୍ରାଣେ ଭରେ ଶାନ୍ତି
ସ୍ନିଗ୍ଧ ତୋ ପରଶ ପାଇ,
ଅମୀୟ ତୋ ରସ ମେଣ୍ଟାଏ ଯେ ଶୋଷ
ମୟୁଖ ରହିଛି ଚାହିଁ ।
କୃଷି ଓ କୃଷକ ଭେକ ଯେ ଡାହୁକ
ଗଗନେ ଖୋଜନ୍ତି କେତେ,
ପାଦପ ପତର ହେଲେଣି କାତର
ଦେଖାଦିଅ ହେ ତ୍ବରିତେ।
ଆଗମନେ ତୋର ବହେ ଫଲ୍ଗୁ ଧାର
ସୁଷମା ବନ ପାହାଡ଼,
ପ୍ରେମ ପ୍ରଣୟର ଅପୂର୍ବ ସମ୍ଭାର
ଜୀବନ ଲଭଇ ଜଡ଼।
ଟିପ୍ ଟିପ୍ ପାଣି ହୃଦ ନିଏ ଜିଣି
ଭିଜି ଯାଏ ମାଟି ମାତା,
ଭିଜା ମାଟି ବାସ୍ନା କରେ ଆନମନା
ଶୁଭେ ବସନ୍ତର ଗାଥା।
ପ୍ରେମିକ ପ୍ରେମିକା ତନୁମନ ଏକା
ବରଷାରେ ଭିଜି ଭିଜି,
କାମଧନୁ ଶରେ ପ୍ରିତୀ ଉଝାଣୀରେ
ଯାଆନ୍ତି ସେମାନେ ହଜି।
ଇନ୍ଦ୍ରଧନୁ ଶୋଭା କି ଉପମା ଦେବା
ପଶ୍ଚିମେ ଉଠେ ଝଲସି,
ହରିଯାଏ କ୍ଳାନ୍ତି ଦେଖି ତାର କାନ୍ତି
ସପ୍ତରଙ୍ଗର ସେ ଶଶୀ।
ଶୀଶୁଏ ନାଚନ୍ତି ଆନନ୍ଦେ ମାତନ୍ତି
କାଗଜେ ଡଙ୍ଗା ତିଆରି,
ନାଳ ଝରଣାରେ ଡଙ୍ଗା ଭାସେ ଧୀରେ
ଯାଏ ସେ ଦରିଆ ପାରି।
ତୋର ଜଳ ବିନ୍ଦୁ ଜୀବନର ସିନ୍ଧୁ
ବରଷ ଯାକ ଆହାର,
କ୍ଷେତ ସବୁଜିମା ବଢ଼ାଏ ସୁଷମା
ନାଚେ କୃଷକ ଅନ୍ତର।
ମଙ୍ଗଳ କାରିଣୀ ତୁହି ବର୍ଷାରାଣୀ
ଚାତକ ତୃଷ୍ଣା ନିବାରୁ
ତୋହର ସଙ୍ଗୀତ କରେ ବିମୋହିତ
ଅଗଣାରେ ଚାରୁ ଭରୁ।
ମୃଗୁଣୀ ନୟନା ହେ ବାଦଲ କନ୍ୟା
କରୁଅଛୁ ସ୍ବାଗତମ୍ ,
ଆସ ହେ ମରତ୍ତେ ଘନମେଘ ସାଥେ
ଗାଇ ନାଚି ରିମ୍ ଝିମ୍।
- --- ବସନ୍ତ କୁମାର ବେହେରା -----
ବରିଷ୍ଠ ଅଧ୍ୟାପକ, ଇତିହାସ ବିଭାଗ
ବାଲିଖଣ୍ଡ ସ୍ନାତକ ମହାବିଦ୍ୟାଳୟ,
ବାଲିଖଣ୍ଡ ,ବାଲେଶ୍ବର