ଝୁଲିପଡିଲେ CRPF ଯବାନ, ପ୍ରେମ ସମ୍ପର୍କ ରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର
ପାଟଣାଗଡ଼, ୧୮ / ୫ : ବଲାଙ୍ଗିର ଜିଲ୍ଲାର ଲରମ୍ଭା ଥାନାଅଧୀନ ଘସିଏନ ଗ୍ରାମରେ ଜଣେ CRPF ଯବାନଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ମୃତ ଯବାନ ଭକ୍ତରାମ ଭୋଇ (ପୁଅ ଦୁଲ୍ଲଭ ଭୋଇ), ଘସିଏନ ଗ୍ରାମର ନିବାସୀ ଓ ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିଲେ। ଛୁଟିରେ ଘରକୁ ଆସିଥିବା ସମୟରେ ଏହି ଅଘଟଣ ଘଟିଛି।
୧୬ ମଇ ରାତିରେ ନିଜ କାର୍ଯ୍ୟସ୍ଥଳୀ ପାଇଁ ଯିବାକୁ ବାହାରିଥିବା ସମୟରେ ଭକ୍ତରାମଙ୍କୁ କେହି ଜଣେ ଫୋନ୍ କରି ଡାକିଥିଲେ, ଯାହା ପରେ ସେ ଗୁମ ହୋଇଯାନ୍ତି। ତାଙ୍କ ପରିବାର ଶନିବାର ଦିନ ନିଖୋଜ ମାମଲା ରୁଜୁ କରିଥିଲେ। ରବିବାର ସକାଳେ ଗ୍ରାମବାସୀମାନେ ଏକ ଲିମ୍ବ ଗଛରେ ତାଙ୍କର ଝୁଲନ୍ତା ଶବ ଦେଖି ସମ୍ପୂର୍ଣ୍ଣ ଅଞ୍ଚଳକୁ ଆତଙ୍କିତ କରିଦେଇଥିଲେ।
ମୃତଦେହ ଦେଖି ମୃତକଙ୍କ ପରିବାର ଆତ୍ମହତ୍ୟା ସନ୍ଦେହକୁ ଖଣ୍ଡନ କରିଛନ୍ତି। ଶବ ଝୁଲିଥିବା ବେଳେ ଆଣ୍ଠୁ ତଳେ ମାଟିକୁ ଲାଗିଥିବା ଅବସ୍ଥା, ଏହାକୁ ଆତ୍ମହତ୍ୟା ବିଚାରିବାକୁ ଅସମ୍ଭବ କରୁଛି। ମୃତକଙ୍କ ବାପା ଦୁଲ୍ଲଭ ଭୋଇ କହିଛନ୍ତି, “ପ୍ରେମ ସମ୍ପର୍କ ନେଇ ପୂର୍ବରୁ ମୋ ପୁଅକୁ ହତ୍ୟା ଧମକ ମିଳୁଥିଲା। ଏହା ସୁଚିନ୍ତିତ ଭାବେ କରାଯାଇଥିବା ହତ୍ୟା।" ଲରମ୍ଭା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତଦନ୍ତ ଚାଲିଛି, ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।