ବିଚ୍ ରାସ୍ତା ରେ ଖଣ୍ଡା ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ବିଶାଲ ସହ ଅନ୍ୟ ଛଅ ଗିରଫ
ବଲାଙ୍ଗିର, ୧୮ / ୫ : ବିଚ୍ ରାସ୍ତା ମଧ୍ୟରେ ଦିନଦହାଡ଼େ ଏକ ଯୁବକ ଉପରେ ଖଣ୍ଡା ଆକ୍ରମଣ କରାଯାଇଥିବା ଘଟଣାରେ ବଲାଙ୍ଗିର ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନର ପରେ ମୁଖ୍ୟ ଅଭିଯୁକ୍ତ ବିଶାଲ ପସାୟତ ସହ ମୋଟ ୭ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମଧ୍ୟରୁ ୪ ଜଣ ନାବାଳକ ଅଛନ୍ତି।
ଘଟଣା ସୂତ୍ରଧାର ବିଶାଲ ପସାୟତ କିଛି ମାସ ପୂର୍ବରୁ ଜଣେ ଝିଅଙ୍କୁ କମେଣ୍ଟ କରିଥିବାରୁ ତାଙ୍କ ଭାଇ ଦିଲୀପ ପଟ୍ଟନାୟକ ଓରଫ ସୋନୁ ତାଙ୍କୁ ବିଚ୍ ରାସ୍ତାରେ ମାଡ଼ମାରିଥିଲେ। ଏହି ଅପମାନ ଓ ପ୍ରତିଶୋଧ ଭାବେ ବିଶାଲ ତାଙ୍କ ସହଯୋଗୀ ତୁଷାର ବାରିକ, ସହିଦ ପାତ୍ର ଓ ଅନ୍ୟ ନାବାଳକମାନଙ୍କ ସହ ମିଶି ଗତ ୭ ତାରିଖରେ ଦିଲୀପ ଉପରେ ମହାଦେବ ମନ୍ଦିର ଛକରେ ଖଣ୍ଡା ନେଇ ଆକ୍ରମଣ କରିଥିଲେ। ଦିଲୀପ ଆକ୍ରମଣରୁ ବଞ୍ଚି ପଳାଇ ଗୋଟିଏ ସୁନା ଦୋକାନ ଭିତରେ ଲୁଚିଯାଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ଦେଖିବା ପରେ ଗାଡ଼ି ନେଇ ଦୋକାନ ର କବାଟ ଓ ଗାଡ଼ି କୁ ହାଣି ଥିଲେ, ଯାହା ଦ୍ୱାରା ସ୍ଥାନୀୟ ଲୋକ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ।
୧୦ ଦିନ ଧରି ଚାଲିଥିବା ତଦନ୍ତ ପରେ ବଲାଙ୍ଗିର ପୋଲିସ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ଟି ଖଣ୍ଡା, ଦୁଇଟି ମୋଟରସାଇକେଲ ଓ ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ବିଶାଲ ପୋଲିସ ଆଗରେ ନିଜ ଅଭିଯୋଗ ସ୍ୱୀକାର କରି ଏହି କାଣ୍ଡ ଏକ ‘ଆତ୍ମସମ୍ମାନ ରକ୍ଷା’ ନିମିତ୍ତ ଘଟିଥିବା ବୋଲି କହିଛନ୍ତି।