Hot Posts

6/recent/ticker-posts

ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ, ଜିଲ୍ଲା ପ୍ରଶାସନ ର ତଦନ୍ତ ଆରମ୍ଭ

ଭଦ୍ରକ, ୧୮ / ୫ : ଭଦ୍ରକ ରେଳଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସ ଆଜି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି, ଏକ ଅତ୍ୟନ୍ତ ଗଭୀର ଅଭିଯୋଗ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏଡିଏମ୍‌ଓ ଡା. ଅମୂଲ୍ୟ ଦାସ ନିଜେ ତାଙ୍କ ସହ ଦୁଷ୍କର୍ମ କରୁଥିଲେ, ଏବଂ ଚିକିତ୍ସାଳୟର ଦୁଇ ଜଣ ଅନ୍ୟ ନର୍ସ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।
ପୀଡ଼ିତାଙ୍କ କହିବା ଅନୁସାରେ, ଡା. ଦାସ ବ୍ୟବହାରିକ ଚାପ, ଧମକ ଓ ଶାରୀରିକ ଶୋଷଣ କରୁଥିଲେ। ନିର୍ଯାତନା ଅତ୍ୟଧିକ ହେବାରୁ  ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ। ଏହି ଅଭିଯୋଗ ଦେଶର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସ୍ଥାନୀୟ ପ୍ରଶାସନ ଉପରେ ଗଭୀର ପ୍ରଶ୍ନ ଉଠାଇଛି। ପୀଡ଼ିତା କହିଛନ୍ତି, ଚିକିତ୍ସାଳୟର ଜଣେ ନର୍ସ ହ୍ଵାଟ୍ସଅପ୍‌ ମାଧ୍ୟମରେ ତାଙ୍କୁ ଅଶ୍ଳୀଳ ଛବି ଓ ଅପତ୍ତିଜନକ ମନ୍ତବ୍ୟ ପଠାଇ ମାନସିକ ନିର୍ଯାତନା ଦେଉଥିଲେ। ଅନ୍ୟଜଣ ତାଙ୍କର କାର୍ଯ୍ୟକୁ ବାଧା ଦେଉଥିଲେ।
ଘଟଣାର ଗୁରୁତ୍ୱ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ତଦନ୍ତ ନିମନ୍ତେ ଡା. ସୁଧାଂଶୁ ଶେଖର ବଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କମିଟିରେ ଜଣେ ମହିଳା ଡାକ୍ତର ମଧ୍ୟ ଅନ୍ତର୍ଭୁକ୍ତ ହେବେ। ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍‌ଓ କହିଛନ୍ତି।
ଏଡିଏମ୍‌ଓ ଡା. ଅମୂଲ୍ୟ ଦାସ ଏହି ଅଭିଯୋଗକୁ ସାମ୍ପ୍ରତିକ ଭାବେ "ମିଛ ଓ ଭିତ୍ଥିହୀନ" ବୋଲି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, "ମୁଁ ଏପରି କୌଣସି ଅପରାଧରେ ଜଡିତ ନୁହେଁ, ଏହା କୌଣସି ରୂପରେ ମୋ ସତ୍ୟନିଷ୍ଠାକୁ କଳଙ୍କିତ କରିବା ଚେଷ୍ଟା।"