ଗୋରାମ୍ବାରେ ଜଳ ଅର୍ପଣ ଦିବସ ପାଳିତ, PWS ଯୋଜନାରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ
ଝରିଗାଁ, ୦୨/୧୦ (ନକୁଳ ଭତରା): ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତର ଗୋରାମ୍ବା ଗ୍ରାମରେ ଗୁରୁବାର ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପିଡବ୍ଲ୍ୟୁଏସ୍ (PWS) ଯୋଜନା ଅଧୀନରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଗ୍ରାମବାସୀଙ୍କୁ ପାନୀୟ ଜଳ ସଂଗ୍ରହ ପାଇଁ ହେଉଥିବା ଅସୁବିଧାରୁ ମୁକ୍ତି ମିଳିବା ସହ ସ୍ୱାସ୍ଥ୍ୟ ଓ ଜୀବନଯାପନର ମାନରେ ଉନ୍ନତି ଆଣିବା ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଏକମ୍ବା ପଞ୍ଚାୟତର ସରପଞ୍ଚ ଅନିତା ପୂଜାରୀ, ବିଧାୟକ ପ୍ରତିନିଧି ଗଣପତି ସାହୁ, ବିଜେପି ଜିଲ୍ଲା ଉପସଭାପତି ସୁମିତ୍ରା ମାଝୀ, କୃଷକ ମଞ୍ଚର ଜିଲ୍ଲା ସଭାପତି ଦଶରଥ କଲାର, ଆରଡବ୍ଲ୍ୟୁଏସ୍ଏସ୍ ପ୍ରତିନିଧି ଫିରୋଜ ଷଡ଼ଙ୍ଗୀ ଓ ଆରଡବ୍ଲ୍ୟୁଏସ୍ଏସ୍ ଯନ୍ତ୍ରୀ ଲିଙ୍ଗରାଜ ବାଘ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜଳର ସୁରକ୍ଷିତ ବ୍ୟବହାର, ଜଳ ସଂରକ୍ଷଣ ଓ ଜଳର ଅପଚୟ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ ଅତିଥିମାନେ ଜଳର ଉପଯୁକ୍ତ ବ୍ୟବହାର ସହ ଏହାର ସଂରକ୍ଷଣ ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ନୂତନ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଗ୍ରାମର ପରିବାରଗୁଡ଼ିକ ଉପକୃତ ହେବା ସହ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।