ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜର କର୍ମକର୍ତ୍ତା ଚୟନ
କୋକସରା, ୦୧/୧୦ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜର କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜକୁ ଅଧିକ ସୁଦୃଢ଼ କରିବା, ଏକତା ବଜାୟ ରଖିବା ଏବଂ ସାମାଜିକ ଓ ସାଂସ୍କୃତିକ ଦିଗରେ ସମସ୍ତଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଏହି ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିଲା। ବୈଠକ ଆରମ୍ଭ ପୂର୍ବରୁ ସମାଜର ଇଷ୍ଟଦେବତା ପ୍ରଭୁ ଚତୁର୍ଭୁଜ ବୁଢ଼ାଦେଓଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ସାଙ୍ଗଠନିକ ସଭା ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଗଣ୍ଡ ସମାଜର ସଭାପତି ନନ୍ଦକିଶୋର ଧରୁଆ ଯୋଗଦେଇଥିବା ବେଳେ ଉପଦେଷ୍ଟା କମିଟିର ସଦସ୍ୟ ବିଦେଶୀ ଧରୁଆ ଉପସ୍ଥିତ ରହିଥିଲେ। ସେମାନେ ସମାଜର ସାଙ୍ଗଠନିକ ଏକତା, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ଦିନରେ ସମାଜକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ପରେ ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଋତୁରାଜ ନାଏକଙ୍କୁ ସଭାପତି ଏବଂ ନବକିଶୋର ମାଝୀଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବୈଠକରେ ଭୁବନେଶ୍ୱର ମାଝୀ, ଧନୁ ମାଝୀ, ନବଘନ ମାଝୀ, ଚଏତୁ ନାଏକ, କ୍ଷୀରସିନ୍ଧୁ ନାଏକଙ୍କ ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏଥିସହ ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ଯୋଗଦେଇ ସାଙ୍ଗଠନିକ ବୈଠକକୁ ସଫଳ କରିଥିଲେ। ବୈଠକରେ ସମାଜର ମହିଳା ଓ ଯୁବପିଢ଼ିଙ୍କୁ ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଅଧିକ ଯୋଡ଼ିବା, ସମାଜର ପରମ୍ପରା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ମତପ୍ରକାଶ ପାଇଥିଲା। ନୂତନ କର୍ମକର୍ତ୍ତାଙ୍କ ନେତୃତ୍ୱରେ ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜ ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ।