Hot Posts

6/recent/ticker-posts

ଦାଦନ ଯିବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଗଛରେ ବାନ୍ଧି ମାଡ଼ ଅଭିଯୋଗ



ନୂଆପଡ଼ା, ୧୮/୧୦ ( ପରମେଶ୍ୱର ମେହେର ) : ଦାଦନ ଖଟିବାକୁ ଯିବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଓଡ଼ିଶା ଓ ଛତିଶଗଡ଼ର ୫ ଜଣ ଦାଦନ ସର୍ଦ୍ଦାରଙ୍କୁ ନୂଆପଡ଼ା ପୁଲିସ ଗିରଫ କରିଛି। ଦାଦନ ସର୍ଦ୍ଦାରଙ୍କ ଭୟରେ ପୀଡ଼ିତ ପରିବାର ଗତ ଦୁଇ ବର୍ଷ ହେଲା ଘର ଛାଡ଼ି ରାଜ୍ୟ ବାହାରେ ରହୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନୂଆପଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଖିଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୨୧ ମସିହାରେ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଝାରବନ୍ଧ ଗ୍ରାମର ଲକ୍ଷ୍ମୀଚନ୍ଦ ପଟେଲ, ତାଙ୍କ ସ୍ତ୍ରୀ ଉର୍ମିଲାବାଇ ପଟେଲ ଏବଂ ଦୁଇ ପୁଅ ନାଗେଶ୍ୱର ପଟେଲ ଓ ଦିଗେଶ୍ୱର ପଟେଲ ଦାଦନ ଖଟିବାକୁ ଉତ୍ତରପ୍ରଦେଶ ଯାଇଥିଲେ। ସେଠାରେ ଏକ ଇଟାଭାଟିରେ କାମ କରୁଥିବା ସମୟରେ ୨୦୨୩ ମସିହାରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ଦାହସଂସ୍କାର ଓ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ପରିବାର ଲୋକେ ଘରକୁ ଫେରିବାକୁ ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଘରକୁ ଫେରିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହା ପରେ ପରିବାରକୁ ବନ୍ଧକ ଭଳି ରଖି ଦିନକୁ ପ୍ରାୟ ୧୫ ଘଣ୍ଟା କାମ କରାଯାଉଥିବା ଏବଂ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ରହିଛି। ଦାଦନ ଯିବାକୁ ମନା କରିବାରୁ ବାପା-ପୁଅଙ୍କୁ ନିର୍ଯାତନା ୨୦୨୪ ସେପ୍ଟେମ୍ବର ମାସରେ କିଛି ଦାଦନ ସର୍ଦ୍ଦାର ଲକ୍ଷ୍ମୀଚନ୍ଦ ପଟେଲଙ୍କ ଘରକୁ ଯାଇ ଟଙ୍କାର ପ୍ରଲୋଭନ ଦେଖାଇ ପୁଣିଥରେ ଦାଦନ ଖଟିବାକୁ ଯିବା ପାଇଁ ପ୍ରବର୍ତ୍ତାଇଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ଏହାକୁ କେନ୍ଦ୍ର କରି ବେଲଟୁକୁରୀ ଅଞ୍ଚଳର କିଛି ଶ୍ରମିକ ସର୍ଦ୍ଦାର ଓ ସେମାନଙ୍କ ସହଯୋଗୀ ଗୋଷ୍ଠୀବଦ୍ଧ ଭାବେ ଲକ୍ଷ୍ମୀଚନ୍ଦ ଓ ତାଙ୍କ ପୁଅ ନାଗେଶ୍ୱରଙ୍କୁ ବାଇକ୍‌ରେ ବସାଇ ନେଇଯାଇଥିଲେ। ଅଭିଯୋଗ ଅନୁସାରେ, ବେଲଟୁକୁରୀ ଥାନା ଅଞ୍ଚଳର ବାରକୋଠି ଜଙ୍ଗଲରେ ବାପା-ପୁଅଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ସମଗ୍ର ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା। ଏହି ଖବର ପାଇ ନାଗେଶ୍ୱରଙ୍କ ଭିଣେଇ ଘଟଣାସ୍ଥଳରେ ପହଞ୍ଚି ବାପା-ପୁଅଙ୍କୁ ଉଦ୍ଧାର କରିଥିଲେ। ଘଟଣା ପରଠାରୁ ଦାଦନ ସର୍ଦ୍ଦାରଙ୍କ ଭୟରେ ଲକ୍ଷ୍ମୀଚନ୍ଦ ଓ ତାଙ୍କ ପରିବାର ଘର ଛାଡ଼ି ରହୁଥିବା ବେଳେ ଗତ ଦୁଇ ବର୍ଷ ହେଲା ଜୀବନ ଭୟରେ ରାଜ୍ୟ ବାହାରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ପୁଲିସର ସ୍ୱତନ୍ତ୍ର ଟିମ୍‌ର ଚଢ଼ଉ, ୫ ଗିରଫ ଏହି ଘଟଣାକୁ ନେଇ ଦିଗେଶ୍ୱର ପଟେଲ ବେଲଟୁକୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କ ତତ୍ତ୍ୱାବଧାନରେ ଏସଡିପିଓ ଖିଲେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଓଡ଼ିଶାର ବେଲଟୁକୁରୀ ଅଞ୍ଚଳରୁ ନୀଳକମଲ ଚନ୍ଦ୍ରକାର ଓରଫ ଗୋଲୁ (୩୮), ମୁଲଚନ୍ଦ ଶବର (୩୫) ଏବଂ ପଣ୍ଡୁ ପାଣିର ସନୋଜ ଲୋହାର (୩୪)ଙ୍କୁ ଗିରଫ କରିଥିଲା। ପରେ ରାତିରେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ତେନ୍ଦୁକୋନା ଅଞ୍ଚଳର ସନ୍ତୋଷ ଅଗ୍ରୱାଲ (୪୨) ଓ ବସନା ଅଞ୍ଚଳର ଅନୁପ ଅଗ୍ରୱାଲ (୪୭)ଙ୍କୁ ଗିରଫ କରାଯାଇଥିଲା। ଗିରଫ ୫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ନୂଆପଡ଼ା ଜିଲ୍ଲାରେ ଦାଦନ ଚାଲାଣ ଓ ଶ୍ରମିକ ନିର୍ଯାତନା ରୋକିବା ପାଇଁ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାରୁ ଦାଦନ ଚାଲାଣକୁ ସମୂଳେ ବନ୍ଦ କରିବା ଦିଗରେ ଆଗକୁ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଏସଡିପିଓ ଖିଲେଶ୍ୱର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦାଦନ ଶ୍ରମିକଙ୍କ ସୁରକ୍ଷା, ମାନବିକ ଅଧିକାର ଏବଂ ଶ୍ରମିକ ଶୋଷଣ ରୋକିବା ନେଇ ଏହି ଘଟଣା ପୁଣିଥରେ ଗୁରୁତର ପ୍ରଶ୍ନ ଉଠାଇଛି।