ସିନାପାଲି ବ୍ୟବସାୟୀ ସଂଘର ପ୍ରତିନିଧି ଦଳଙ୍କ ଥାନାଧିକାରୀଙ୍କୁ ସାକ୍ଷାତ, ବ୍ୟବସାୟୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ଉପରେ ଆଲୋଚନା
ସିନାପାଲି, ୧୮/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ବ୍ୟବସାୟୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସିନାପାଲି ବ୍ୟବସାୟୀ ସଂଘର ଏକ ପ୍ରତିନିଧି ଦଳ ସ୍ଥାନୀୟ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ମହେଶ୍ୱର ପାଣିଗ୍ରାହୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ବଜାରରେ ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସୁରକ୍ଷା ବ୍ୟବସ୍ଥା ଓ ଅଞ୍ଚଳର ଆଇନଶୃଙ୍ଖଳା ସମ୍ପର୍କରେ ଆଲୋଚନା ହୋଇଥିଲା। ସିନାପାଲି ବ୍ୟବସାୟୀ ସଂଘର ସଭାପତି ପ୍ରଦୀପ କୁମାର ଜୈନଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ସିନାପାଲି ଥାନାରେ ପହଞ୍ଚି ଆଇଆଇସି ମହେଶ୍ୱର ପାଣିଗ୍ରାହୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଥିଲା। ଏହି ପ୍ରତିନିଧି ଦଳରେ ବ୍ୟବସାୟୀ ସଂଘର ପ୍ରମୁଖ କର୍ମକର୍ତ୍ତା ହରିଓମ୍ ଜିନ୍ଦଲ, ପିୟୂଷ ପଟେଲ, ବିବେକାନନ୍ଦ ମେହେର, ଜଗା ମେହେର, ହରେ ମେହେର ଓ ବିନ୍ଦୁ ସାଗର ମେହେରଙ୍କ ସମେତ ଅନ୍ୟାନ୍ୟ ବ୍ୟବସାୟୀ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ସିନାପାଲି ବଜାର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟୀଙ୍କ ସୁରକ୍ଷା, ଦୋକାନବଜାରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ସହ ବ୍ୟବସାୟୀମାନେ ଯେପରି ନିରାପଦ ପରିବେଶରେ ନିଜର ବ୍ୟବସାୟ ପରିଚାଳନା କରିପାରିବେ, ସେଥିପାଇଁ ପୁଲିସ ପ୍ରଶାସନର ସହଯୋଗ ଲୋଡ଼ାଯାଇଥିଲା। ଏଥିସହିତ ବଜାର ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ବ୍ୟବସାୟୀ ସଂଘ ଓ ପୁଲିସ ମଧ୍ୟରେ ତ୍ୱରିତ ଯୋଗାଯୋଗ ଓ ସମନ୍ୱୟ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା, ପୁଲିସ ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ସୁରକ୍ଷା ଓ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ଆବଶ୍ୟକ ସହଯୋଗ ଯୋଗାଇଦେବାର ଆଶ୍ୱାସନ ମିଳିଥିବା ଜଣାପଡ଼ିଛି। ସିନାପାଲି ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ଏଠାରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ବ୍ୟବସାୟିକ ପରିବେଶ ବଜାୟ ରହିବା ଅତ୍ୟନ୍ତ ଜରୁରୀ। ବ୍ୟବସାୟୀ ସଂଘ ଓ ପୁଲିସ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଭାବନା ବୃଦ୍ଧି ପାଇବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ସିନାପାଲି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଏହି ସାକ୍ଷାତକାର ଏକ ସକାରାତ୍ମକ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି।