Hot Posts

6/recent/ticker-posts

ଚନ୍ଦାହାଣ୍ଡିରେ ଆଦିବାସୀ ସଂସ୍କୃତି ଭବନ ପାଇଁ ଭୂମିପୂଜନ, ନୂଆଖାଇ ଭେଟଘାଟ ଅନୁଷ୍ଠିତ

ଚନ୍ଦାହାଣ୍ଡି, ୨୪/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିଠାରେ ଆଦିବାସୀ ସଂଘ ପକ୍ଷରୁ ବ୍ଲକସ୍ତରୀୟ ମହାସମାରୋହ, ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଭୂମିପୂଜନ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦିବାସୀ ସମାଜର ବହୁ ସଂଖ୍ୟକ ଭାଇଭଉଣୀଙ୍କ ସମେତ ବିଭିନ୍ନ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତ୍ରା ଏବଂ ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ। ଏହି ଅବସରରେ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମିପୂଜନ କରାଯାଇଥିଲା। ଏହି ଭବନ ଆଦିବାସୀ ସମାଜର ସାମାଜିକ, ସାଂସ୍କୃତିକ ଓ ସାମୂହିକ କାର୍ଯ୍ୟକ୍ରମ ପାଇଁ ଏକ ମିଳନସ୍ଥଳ ଭାବେ କାର୍ଯ୍ୟ କରିବା ସହ ପାରମ୍ପରିକ ରୀତିନୀତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ନୂଆଖାଇ ଭେଟଘାଟ ଅବସରରେ ଆଦିବାସୀ ସମାଜର ଏକତା, ଭାଇଚାରା ଓ ପାରସ୍ପରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଭଳି ମହାସମାରୋହ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହ ସମାଜରେ ଏକତାର ଭାବନାକୁ ଆହୁରି ମଜବୁତ କରିବାରେ ସହାୟକ ହେବ।