Hot Posts

6/recent/ticker-posts

ବିଂଝାରପୁର ବିଜେଡିକୁ ଆଉ ଏକ ଝଟକା ବବିତା ମଲ୍ଲିକଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେଲେ ୭୦ ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ

ବିଂଝାରପୁର, ୧୧/୧୦ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁରରେ ବିଜେପି ନିଜର ସାଂଗଠନିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିବାବେଳେ ବିଜେଡିର ୭୦ ରୁ ଊର୍ଦ୍ଧ୍ୱ କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଂଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ବଂଶୀପୁରସ୍ଥିତ ବାବା ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ସେବା ପକ୍ଷ ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ଯୋଗଦାନ କାର୍ଯ୍ୟକ୍ରମ ହୋଇଥିଲା। ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ତଥା ବିଂଝାରପୁରର ନେତ୍ରୀ ବବିତା ମଲ୍ଲିକଙ୍କ ଉପସ୍ଥିତି ଓ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ କର୍ମୀମାନେ ଦଳରେ ଯୋଗ ଦେଇଛନ୍ତି। ଏଥିସହ ବବିତା ମଲ୍ଲିକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେପି ସହ ଯୋଡ଼ି ହୋଇଥିବା କୁହାଯାଇଛି। କଲ୍ୟାଣପୁର ମଣ୍ଡଳ ସଭାପତି ସଞ୍ଜୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବବିତା ମଲ୍ଲିକ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ଜନସାଧାରଣଙ୍କ ସମସ୍ୟା ଓ ଆକାଂକ୍ଷାକୁ ଗୁରୁତ୍ୱ ଦେବା ଉପରେ ମତ ରଖିଥିବା ଦଳୀୟ ପକ୍ଷରୁ କୁହାଯାଇଛି। ଅଧିକ କର୍ମୀଙ୍କ ଯୋଗଦାନ ଦ୍ୱାରା ଅଞ୍ଚଳରେ ଦଳର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ସେହିପରି ବରିଷ୍ଠ ବିଜେପି ନେତା ତଥା ବିଂଝାରପୁର ନିର୍ବାଚନମଣ୍ଡଳୀ ସଂଯୋଜକ ନିରଞ୍ଜନ ବେହୁରିଆ କହିଥିଲେ ଯେ, ବିଂଝାରପୁରରେ ବିଜେପିର ସାଂଗଠନିକ ଭିତ୍ତି କ୍ରମଶଃ ମଜଭୁତ ହେଉଛି। ନୂତନ କର୍ମୀଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତି ଯୋଗାଇବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ନାୟକଙ୍କ ସମେତ ଦଳର ବିଭିନ୍ନ ସ୍ତରର ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବକୁ ନେଇ ବିଂଝାରପୁରରେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଯୋଗଦାନର ପ୍ରଭାବ ଆଗାମୀ ନିର୍ବାଚନରେ କିପରି ପଡ଼ିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।