Hot Posts

6/recent/ticker-posts

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ରାସ୍ତାଘାଟରେ ପଶୁବଳି ବନ୍ଦ ଓ ବଳି ପ୍ରଥାର ସୁବ୍ୟବସ୍ଥିତ ପରିଚାଳନା ଦାବି

ଭବାନୀପାଟଣା, ୧୦/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରା ଆସନ୍ତା ୧୯ ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ହେବ। ଏହି ଯାତ୍ରାରେ ପାରମ୍ପରିକ ପଶୁବଳି ପ୍ରଥାକୁ ନେଇ ସାମାଜିକ ଓ ନୈତିକ ଦୃଷ୍ଟିକୋଣରୁ ଆଲୋଚନା ଜୋର ଧରିଛି। ରାସ୍ତାଘାଟରେ ରକ୍ତରଞ୍ଜିତ ପରିବେଶ ସୃଷ୍ଟି କରି ପଶୁପକ୍ଷୀଙ୍କୁ ବଳି ନଦେବା ସହ ଏହି ପରମ୍ପରାର ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ପରିଚାଳନା ପାଇଁ ଆହ୍ୱାନ ଦିଆଯାଇଛି। ଏନେଇ ଭବାନୀପାଟଣାରେ ‘ସଦ୍‌ଭାବନା ବିଚାର ମଞ୍ଚ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଛତର ଯାତ୍ରା କଳାହାଣ୍ଡିର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା। ଏହି ପରମ୍ପରାର ମର୍ଯ୍ୟାଦା ରକ୍ଷା କରିବା ସହ ଯାତ୍ରା ସମୟରେ ରାସ୍ତାଘାଟରେ ପଶୁବଳି ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧାକୁ ଏଡ଼ାଇବା ଉଦ୍ଦେଶ୍ୟରେ ‘ସଦ୍‌ଭାବନା ବିଚାର ମଞ୍ଚ’ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ସାମାଜିକ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରମୁଖ ବ୍ୟକ୍ତିବିଶେଷ, କର୍ମକର୍ତ୍ତା ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ଏହି ମଞ୍ଚ ପକ୍ଷରୁ ବଳି ପ୍ରଥାର ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ସମାଜ, ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାତ୍ରାର ପବିତ୍ରତା ଓ ପରମ୍ପରାକୁ ସମ୍ମାନ ଜଣାଇବା ସହ ଆବଶ୍ୟକ ନିୟମ ଓ ଶୃଙ୍ଖଳା ମଧ୍ୟରେ ବଳି ପ୍ରଥା ପାଳନ କରିବା ଏବଂ ରାସ୍ତାଘାଟକୁ ରକ୍ତରଞ୍ଜିତ ନ କରିବା ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା। ଏହି ନୂତନ ବ୍ୟବସ୍ଥାର ପ୍ରଚାରପ୍ରସାର ଓ ସଫଳ ରୂପାୟନ ପାଇଁ ଜନସାଧାରଣ, ପ୍ରଶାସନ ଓ ବିଭିନ୍ନ ସଂଗଠନକୁ ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଶାନ୍ତନୁ ମୁଣ୍ଡ, ପତଞ୍ଜଳି ଯୋଗଗୁରୁ ଅଶୋକ ମୁଣ୍ଡ, ମହିମା ଅଲେଖ ଧର୍ମର ଭଗବାନ ଦାସ ବାବା, ଆର୍‌ଏସ୍‌ଏସ୍‌ର ସାମାଜିକ ସଦ୍‌ଭାବନା ସଂଯୋଜକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚର ପ୍ରଫେସର ଅଜୟ ମିଶ୍ର, ‘କଳାହାଣ୍ଡିଆ ଫର୍ କଳାହାଣ୍ଡିଆ’ର ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡା, ରାଧାଗୋବିନ୍ଦ ଧାମର ସଭାପତି ତଥା ମଞ୍ଚର ସହ-ସଂଯୋଜକ ଅଜୟ ମାଥୁର, ପ୍ରତିଭା ଅନୁଷ୍ଠାନର ସଭାପତି ତଥା ମଞ୍ଚର ସହ-ସଂଯୋଜକ ଧ୍ୟାନନନ୍ଦ ପଣ୍ଡା, ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ତପନ କୁମାର ସାହୁ, ବ୍ଲକ୍ ସଂଯୋଜକ ଘନ ସାହୁ, ସନାତନ ଶବର, ଘନଶ୍ୟାମ ନାଏକ, ଶ୍ରୀମୁଖ ରଣା, ସନ୍ତୋଷ କୁମାର ପଣ୍ଡା, ଆର୍ଟ ଅଫ୍ ଲିଭିଂର ପ୍ରତିନିଧି, ଡାକ୍ତର ଜଳନ୍ଧର ମେହେର ଏବଂ ଗାୟତ୍ରୀ ପରିବାରର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ତଥା ମଞ୍ଚର ଅସ୍ଥାୟୀ ସଂଯୋଜକ ପ୍ରଦୀପ ମହାରଣାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ