ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଆର୍ ଆଣ୍ଡ୍ ବି ଯନ୍ତ୍ରୀଙ୍କ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ଉ
ଯାଜପୁର, ୨୨/୧୦ (ପ୍ରଦୀପ କୁମାର ମଲ୍ଲିକ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ଆର୍ ଆଣ୍ଡ୍ ବି) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ଗୁରୁବାର ଏକକାଳୀନ ଚଢ଼ଉ କରିଛି ଓଡ଼ିଶା ଭିଜିଲାନ୍ସ। କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର ଜିଲ୍ଲାର ବଡ଼ଚଣାରେ ଏହି ଚଢ଼ଉ ଚାଲିଛି। ଚଢ଼ଉ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ କଟକ ସିଡିଏ ସେକ୍ଟର-୭ର ପ୍ଲଟ୍ ନଂ ଏଫ୍/୭୭୯ରେ ଥିବା ତିନିମହଲା କୋଠା, ପୁରୀର ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନିମହଲା କୋଠା ଏବଂ କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଏକ ଫାର୍ମହାଉସ୍ ଓ ଏକମହଲା କୋଠା ରହିଛି। ସେହିପରି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ତାଙ୍କ ଜନ୍ମଗ୍ରାମ ଝିଙ୍କିରିଆରେ ଥିବା ଦୁଇମହଲା ଘର, କଟକର ୪୨ ମୌଜା ଅଞ୍ଚଳ ଶିବମନ୍ଦିର ନିକଟ ବନ୍ତୁଣିଆରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରର କଣ୍ଟାବାଡ଼ରେ ଥିବା ଦୁଇମହଲା କୋଠା ଏବଂ ବଡ଼ଚଣାସ୍ଥିତ ଆର୍ ଆଣ୍ଡ୍ ବି ଉପଖଣ୍ଡ କାର୍ଯ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟକକ୍ଷରେ ମଧ୍ୟ ଯାଞ୍ଚ କରାଯାଉଛି। ଚାରବାଟିଆସ୍ଥିତ ଆର୍ ଆଣ୍ଡ୍ ବି ଡିଭିଜନ୍ର ତଦାରଖରେ ବଡ଼ଚଣା କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି। ଖବର ଲେଖା ହେବା ବେଳକୁ ଯାଞ୍ଚ ଜାରି ରହିଥିବାବେଳେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ସ୍ପଷ୍ଟ ହେବ।