ମା’ ଆସୁଛନ୍ତି... ପରମ୍ପରାରେ ନୂଆ ରଙ୍ଗ, ବାଦ୍ୟରେ ଜମିବ ଦଶହରା.
କଟକ, ୧୦/୧୦ (କାଁହୁଚରଣ ବାରିକ) : ମହାଳୟା ବା ଶୁଭଲଗ୍ନ ଅମାବାସ୍ୟା। ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଢ଼ିଲାଗି । ଏହାର କିଛିଦିନ ପରେ ଧରାବତରଣ କରିବେ ମା’ ଦୁର୍ଗା। ଦଶହରାକୁ ନେଇ କଟକ ସହର ଓ ଏହାର ଉପକଣ୍ଠର ବିଭିନ୍ନ ପୂଜାମଣ୍ଡପରେ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। କେଉଁଠି ଚମକିବ ନୂଆ ମେଟାଲିକ ମେଢ଼ ତ କେଉଁଠି ସଲମା ଜରିର ମେଢ଼ରେ ଝଲସିବେ ମା’। ଆଉ କେଉଁଠି ଉପାଶିରେ ଶୁଦ୍ଧ ବଳାଙ୍ଗୀରର ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଜୋରଦାର ସିଂହବାଜା, ଢେଙ୍କାନାଳର ମାଦଳ ଓ କେନ୍ଦ୍ରାପଡ଼ାର ଘଣ୍ଟା। ପୂଜା, ପରମ୍ପରା ଓ ଭୋଗ ସହ ଆଧୁନିକତାର ଛାପ ନେଇ ଏଥର ଦଶହରାକୁ ସ୍ମରଣୀୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ପୂଜା କମିଟି। ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି ପାଇଁ ଏଥର ଦଶହରା ଆହୁରି ବିଶେଷ। ୧୯୭୪ରୁ ଏଠାରେ ହରପାର୍ବତୀଙ୍କ ପୂଜା ହୋଇଆସୁଥିବା ବେଳେ ୫୦ ବର୍ଷ ପରେ ପ୍ରଥମଥର ଚଳିତବର୍ଷ ଦେବୀ ଦୁର୍ଗାଙ୍କ ପ୍ରତିମା ପୂଜା ପାଇବେ। ୨୦୦୩ରେ ନିର୍ମିତ ୪ କ୍ୱିଣ୍ଟଲ ଚାନ୍ଦିମେଢ଼ରେ ମା’ଙ୍କ ପ୍ରତିମା ବାହାରିବେ। ବାଦାମବାଡ଼ି ଛକରୁ ଲିଙ୍କରୋଡ଼ ଟ୍ରେନ୍ ଲାଇନ୍ ପର୍ଯ୍ୟନ୍ତ ଆଲୋକସଜ୍ଜା ସହ ୬୦ଟି ଛୋଟ ଆଲୋକ ତୋରଣ ନିର୍ମାଣ ହେବ। ଋରିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ, ସପ୍ତମୀରେ ୧୨ କ୍ୱିଣ୍ଟଲ ଲଡ଼ୁ ଭୋଗ ଏବଂ ଦଶମୀରେ ୩ ହଜାର ଲୋକଙ୍କ ପାଇଁ ଦହିପଖାଳ ବ୍ୟବସ୍ଥା ରହିଛି। ଉପାଶିରେ ଆଶୁପ୍ରଦେଶର ନାଳନ୍ଦୁ ବ୍ୟାଣ୍ଡପାର୍ଟି ଓ ସିଂହବାଜା ମୁଖ୍ୟ ଆକର୍ଷଣ ହେବ। ପୂଜା ପାଇଁ ମୋଟ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସାର୍ବୋଳ ଦୁର୍ଗାପୂଜା କମିଟି ଏଥର ବିଶେଷ ଆକର୍ଷଣ ଭାବେ ବଳାଙ୍ଗୀର ୫୦ଶିଆ ତାଳମୂଳି ସିଂହବାଜା ଦଳକୁ ଆଣୁଛି। ଉପାଶିରେ ହୁଗୁପୁର ଇଲେକ୍ଟ୍ରୋନିକ୍ସ ବ୍ୟାଣ୍ଡ ପାର୍ଟି ଓ କେନ୍ଦ୍ରାପଡ଼ାର ଘଣ୍ଟା ଦଳ ମଧ୍ୟ ଯୋଗଦେବେ। ମଣ୍ଡପରେ ସଲମା ବା ସୁନେଲି ଜରିର ମେଢ଼ ଶୋଭା ପାଇବ। ଏହି ମେଢ଼ ଗତବର୍ଷଠାରୁ ନିର୍ମିତ ହୋଇଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଛି ୧ ଲକ୍ଷ ୫୦ ହଜାର ଟଙ୍କା। ବଙ୍ଗୀୟ ରୀତିନୀତିରେ ଏଠାରେ ପୂଜା ହୋଇଥାଏ। ମହାଷ୍ଟମୀରେ ଅଢ଼େଇ କ୍ୱିଣ୍ଟଲ ଲଡ଼ୁ ବଣ୍ଟନ ଓ ନବମୀରେ ଏକ ହଜାର ଲୋକଙ୍କ ପାଇଁ ଦହିପଖାଳ ବ୍ୟବସ୍ଥା ରହିଛି। ସମଗ୍ର ପୂଜା ପାଇଁ ବଜେଟ୍ ରହିଛି ୧୨ ଲକ୍ଷ ଟଙ୍କା। ସାର୍ବୋଳ ପୂଜାର ଇତିହାସ ମଧ୍ୟ ବେଶ୍ ପୁରୁଣା। ମରହଟ୍ଟା ଶାସନ ପୂର୍ବରୁ ଏଠାରେ ମହାଦେବଙ୍କ ମୃଣ୍ମୟ ପ୍ରତିମା ପୂଜାର ପରମ୍ପରା ଥିବା କୁହାଯାଏ। ୧୨୫୦ ମସିହାରେ ପ୍ରତିଷ୍ଠିତ ସରଣ୍ଡେଶ୍ଵର ମହାଦେବଙ୍କ ଶୈବପୀଠ ଏହାର ପ୍ରାଚୀନତାର ସାକ୍ଷୀ। ୨୦୨୭ରେ ସେଣ୍ଡଅର ମହାଦେବଙ୍କ ପୂଜା ହୋଇଥିବା ବେଳେ ୨୦୨୪ରୁ ଏଠାରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ପ୍ରତିମା ପୂଜା ପାଉଛନ୍ତି। ସେକ୍ଟର-୮ ଦୁର୍ଗାପୂଜା କମିଟି ଏଥର ୧୦ ଫୁଟ ଉଚ୍ଚର ନୂଆ ମେଟାଲିକ ମେଢ଼ ନିର୍ମାଣ କରିଛି। ଋରିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଶହରାକୁ ଜମାଇବା ପାଇଁ ଯୋଜନା ରହିଛି। ନବମୀରେ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳ ଏବଂ ସେକ୍ଟର-୮ର ସମସ୍ତ ଘରକୁ ୪ କ୍ୱିଣ୍ଟଲ ଖୁଦି ଭୋଗ ବଣ୍ଟନ କରାଯିବ। ଦୁଇଟି ଆଲୋକ ତୋରଣ ମଧ୍ୟ ନିର୍ମାଣ ହେବ। ଏଥର ପୂଜା ବଜେଟ୍ ୧୨ ଲକ୍ଷ ଟଙ୍କା। ୨୦୦୦ ମସିହାରେ ଏହି କମିଟି ପକ୍ଷରୁ ପୂଜା ଆରମ୍ଭ ହୋଇଥିଲା। ପ୍ରଥମ ବୁଦ୍ଧବର୍ଷ ହରପାର୍ବତୀଙ୍କ ପୂଜା ହୋଇଥିବା ବେଳେ ୨୦୦୭ରୁ ଦେବୀ ଦୁର୍ଗାଙ୍କ ପୂଜା ହୋଇଆସୁଛି। ମଣ୍ଡପରେ ଲକ୍ଷ୍ମୀ ଓ କାଳୀଙ୍କ ପୂଜା ମଧ୍ୟ ହୋଇଥାଏ। ୨୦୧୪ରେ ଦେବୀ ଦୁର୍ଗାଙ୍କ ସମେତ ସମସ୍ତ ଦେବଦେବୀଙ୍କ ପାଇଁ ରାଜି ମୁକୁଟ ନିର୍ମାଣ ହୋଇଥିଲା। ଚଳିତବର୍ଷ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୭ ଫୁଟ ରହିଛି। ଗଞ୍ଜାମନ୍ଦିର ପୂଜା କମିଟି ଏଥର ଋଦି ଇଉପେକ୍ଟର ଆଲୋକ ତୋରଣରେ ଝଲସିବ। ବଜାର ଆଲୋକମାଳାରେ ସଜେଇ ହେବ। ଢେଙ୍କାନାଳର ମାଦଳ ଓ କେନ୍ଦ୍ରାପଡ଼ାର ଘଣ୍ଟା ଦଳ ଉପାଶିର ଆକର୍ଷଣ ବଢ଼ାଇବେ। ମହାଷ୍ଟମୀରେ ୨ କ୍ୱିଣ୍ଟଲ ଲଡ଼ୁ ବଣ୍ଟନ ସହ ବିଜୟା ଦଶମୀରେ ଶତାଧିକ ମହିଳା ସିନ୍ଦୂର ଖେଳ ହେବ। ୪ ହଜାରରୁ ଅଧିକ ଭକ୍ତଙ୍କୁ ଦହିପଖାଳ ବଣ୍ଟନ କରାଯିବ। ଗଞ୍ଜାମନ୍ଦିରର ଦୁର୍ଗାପୂଜାର ଇତିହାସ ମଧ୍ୟ ଶତାଧିକ ବର୍ଷ ପୁରୁଣା। ୧୯୫୦ ଭାଗବତ ଘରେ ହରପାର୍ବତୀଙ୍କ ମୃଣ୍ମୟ ପ୍ରତିମା ପୂଜା ଆରମ୍ଭ ହୋଇଥିଲା। ୧୯୯୧ରେ ସ୍ଵତନ୍ତ୍ର ଦୁର୍ଗାପୂଜା ମଣ୍ଡପ ନିର୍ମାଣ ପରେ ଦେବୀ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା। ୨୦୧୯ରେ ନିର୍ମାଣ ହୋଇଥିଲା ଚାନ୍ଦିମେଢ଼। ଚଳିତବର୍ଷ ପୂଜା ବଜେଟ୍ ରହିଛି ୨ ଲକ୍ଷ ଟଙ୍କା। ଏହି ସବୁ ମଣ୍ଡପରେ ପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ; ଏହା ପରମ୍ପରା, ସାମାଜିକ ସମ୍ପର୍କ ଓ ସାଂସ୍କୃତିକ ଐତିହ୍ୟର ଏକ ମିଳନସ୍ଥଳ। ନୂଆ ଆଲୋକସଜ୍ଜା, ଆକର୍ଷଣୀୟ ମେଢ଼ ଓ ବିଭିନ୍ନ ଅଞ୍ଚଳର ପାରମ୍ପରିକ ବାଦ୍ୟ ସହ ଏଥରର ଦଶହରା କଟକର ପୂଜା ପରିବେଶକୁ ଆହୁରି ରଙ୍ଗୀନ କରିବ ବୋଲି ଆଶା।