ଦାରିଙ୍ଗବାଡି , ୦୩/୧୦ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ଉପଜିଲ୍ଲାପାଳ ପ୍ରଣୀତା ଦାସ ଶନିବାର ଦିନ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁକୁ ଅଚାନକ ଗସ୍ତ କରିଛନ୍ତି। ଗସ୍ତ ସମୟରେ ସେ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ନେଇ ଲିଖିତ ଭାବେ ୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଜିଓ ନେଟୱାର୍କ ପାଇଁ ଟାୱାର ସ୍ଥାପନ, ଅତିରିକ୍ତ ତହସିଲଦାର ନିଯୁକ୍ତି, ଋଷିମାଳ ମହାବିଦ୍ୟାଳୟରେ ପାନୀୟ ଜଳ ସମସ୍ୟାର ସମାଧାନ, ବ୍ରାହ୍ମଣୀଗାଁରେ ବସ୍ଷ୍ଟପେଜ ଓ ସୁଲଭ ଶୌଚାଳୟ ନିର୍ମାଣ ଆଦି ଦାବି ରହିଥିଲା। ସେହିପରି ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି ସହ ଲାବୋରେଟୋରି ଟେକ୍ନିସିଆନ ନିଯୁକ୍ତି, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ବିଶ୍ରାମ କକ୍ଷ ବ୍ୟବସ୍ଥା, ରେଭେନ୍ୟୁ ବଙ୍ଗଳାର ପୁନରୁଦ୍ଧାର ଏବଂ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ପୁନରୁଦ୍ଧାର ଭଳି ଦାବି ମଧ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ରଖାଯାଇଥିଲା। ଦାବିଗୁଡ଼ିକ ଉପରେ ଆଲୋଚନା କରି ଉପଜିଲ୍ଲାପାଳ ଶ୍ରୀମତୀ ଦାସ ଋଷିମାଳ ମହାବିଦ୍ୟାଳୟରେ ତୁରନ୍ତ ଏକ ନଳକୂପ ଖନନ ଏବଂ ବ୍ରାହ୍ମଣୀଗାଁରେ ଜିଓ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ମଧ୍ୟ ଗୁରୁତ୍ୱର ସହ ନେଇ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଜାତୀୟ ମାନବାଧିକାର କର୍ମୀ ବିକ୍ରମ ବସ୍ତରାଇଙ୍କ ନେତୃତ୍ୱରେ ସ୍ଥାନୀୟ ନେତୃବୃନ୍ଦ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଉପଜିଲ୍ଲାପାଳଙ୍କ ଆଶ୍ୱାସନା ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ସମସ୍ୟାର ସମାଧାନ ନେଇ ନୂତନ ଆଶା ସଞ୍ଚାର ହୋଇଛି। ଗସ୍ତ ସମୟରେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ସହ ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
