Hot Posts

6/recent/ticker-posts

କୁସୁମୀରେ ଧ୍ରୁବ ଗୋଣ୍ଡ ସମାଜର ନୂଆଖାଇ ଜୁହାର ଭେଟଘାଟ, ନୂତନ ନିର୍ମିତ ସମାଜ ଗୃହକୁ ଉଦ୍‌ଘାଟନ କଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ଝରିଗାଁ, ୧୧/୧୦ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମୀ ପଞ୍ଚାୟତର ନୂତନ ନିର୍ମିତ ସମାଜ ଗୃହଠାରେ ରବିବାର ଧ୍ରୁବ ଗୋଣ୍ଡ ସମାଜ ପକ୍ଷରୁ ନୂଆଖାଇ ଜୁହାର ଭେଟଘାଟ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନବନିର୍ମିତ ସମାଜ ଗୃହକୁ ଉଦ୍‌ଘାଟନ କରିଥିଲେ। ଏହି ଗୃହ ସମାଜର ସାମାଜିକ, ସାଂସ୍କୃତିକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ଏକ ମିଳନସ୍ଥଳୀ ଭାବେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି ନୂଆଖାଇ ଭେଟଘାଟରେ ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକରୁ ସମାଜର କର୍ମକର୍ତ୍ତା, ଜନପ୍ରତିନିଧି, ଯୁବପିଢ଼ି ଓ ବହୁ ସଂଖ୍ୟକ ସଦସ୍ୟ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର ପରମ୍ପରା ଅନୁଯାୟୀ କୁରେପତାରେ ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ଗୁଡ଼ ଓ ନଡ଼ିଆ ସେବନ କରି ନୂଆଖାଇ ପର୍ବ ପାଳନ କରାଯାଇଥିଲା। ଏହା ସହ ପରସ୍ପରକୁ ନୂଆଖାଇ ଜୁହାର ଜଣାଇ ସମାଜର ଏକତା, ଭାଇଚାରା ଓ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ଆଣ୍ଟି ସଭା ପରିଚାଳନା କରିବା ସହ ସଭାପତିତ୍ୱ କରିଥିଲେ। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଶିକ୍ଷା, ସାମାଜିକ ଏକତା, ଭାଇଚାରା ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସାମାଜିକ ଗଣମାଧ୍ୟମର ସଠିକ୍ ବ୍ୟବହାର କରି ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ମିଳିତ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ପୁରୁତ୍ତମ ମାଝୀ ଓ ଜୟରାମ ମାରେଇ ସମାଜର ଶିକ୍ଷା, ସଂସ୍କୃତି, ପରମ୍ପରା ଓ ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ନିଜ ମତ ରଖିଥିଲେ। ଯୁବପିଢ଼ିଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବା, ପାରମ୍ପରିକ ରୀତିନୀତିକୁ ସୁରକ୍ଷିତ ରଖିବା ଏବଂ ସାମାଜିକ ସମସ୍ୟାର ସମାଧାନ ପାଇଁ ଏକଜୁଟ ହୋଇ କାମ କରିବା ଉପରେ ଆଲୋଚନା ହୋଇଥିଲା। ସମ୍ମାନିତ ଅତିଥି ଭାବେ ବସନ୍ତ ମାଝୀ, ଚନ୍ଦାହାଣ୍ଡି ବ୍ଲକ ସଭାପତି ମାନସିଂ ମାଝୀ, ଝରିଗାଁ ବ୍ଲକ ସଭାପତି ଧ୍ରୁବ ଗୋଣ୍ଡ ଓ ଫଟକି ସୁଶାନ୍ତ ମାଝୀ ଉପସ୍ଥିତ ଥିଲେ। ଏହି ଭେଟଘାଟରେ ସୋମନାଥ ଗୋଣ୍ଡ, ଦେବେନ୍ଦ୍ର ଗୋଣ୍ଡ, ମଧୁବନ ମାଝୀ, ସାମନ୍ତ ଗୋଣ୍ଡ, ବୁଲେନ୍ଦ୍ର ଗୋଣ୍ଡ, ଅନିରୁଦ୍ଧ ଗୋଣ୍ଡ, ପଦମ୍ ଗୋଣ୍ଡ, ବାସୁଦେବ ଗୋଣ୍ଡ, ଅମର୍ଶ୍ରୀ ଗୋଣ୍ଡ, ଭାବନାଥ ଗୋଣ୍ଡ, ଧନୁ ମାଝୀ, ଚନ୍ଦ୍ରଭାନୁ ମାଝୀ, ଜିତେନ୍ଦ୍ର ମାଝୀ, ବିଜୁ ଗୋଣ୍ଡ, ଖଗପତି ଗୋଣ୍ଡ, ନୀଳକଣ୍ଠ ଗୋଣ୍ଡ, ନରସିଂହ ଗୋଣ୍ଡ, ହରିଶଙ୍କର ଗୋଣ୍ଡ, ନରେଶ ଗୋଣ୍ଡ, ତିଲୋକ ଧରୁଆ, ଶଶିରମ୍ ମାଝୀ, ଜିତୁ ମାରକାମ, ଜୟସେନ ମାଝୀ, ମେଘନାଥ ମାରକାମ ଓ ଦୀପକ ମାଝୀଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ। ଆୟୋଜକଙ୍କ ସୂଚନା ଅନୁଯାୟୀ, ୪୬ ଜଣ ମାଧିମୁଖିଆଙ୍କ ସହ ଅନ୍ୟ ସଦସ୍ୟ, ମାଆ ଓ ଭଉଣୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ ଓ ବିଭିନ୍ନ ମନୋରଞ୍ଜନମୂଳକ ଆୟୋଜନ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ଶେଷରେ ସମାଜର ଏକତାକୁ ମଜବୁତ କରିବା, ଯୁବପିଢ଼ିଙ୍କ ଶିକ୍ଷା ଓ ଉନ୍ନତି, ନିଜ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ଅଞ୍ଚଳର ଜନସମସ୍ୟାର ସମାଧାନ ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂଆଖାଇ ଜୁହାର ଓ ଭାଇଚାରାର ବାର୍ତ୍ତା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।