Hot Posts

6/recent/ticker-posts

ବିଞ୍ଝାରପୁରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ବିଞ୍ଝାରପୁର, ୦୬/୧୦ (ପ୍ରଦୀପ କୁମାର ମଲ୍ଲିକ) : ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବିତନା ପଞ୍ଚାୟତରୁ ଆରମ୍ଭ ହୋଇଛି। ନଭେମ୍ବର ୨ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଏହି ପଦଯାତ୍ରା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିବ। ଦଳୀୟ ନେତା ଓ କର୍ମୀମାନେ ଗାଁ, ୱାର୍ଡ ଓ ବ୍ଲକ୍‌ସ୍ତରରେ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଓ ଦଳର ଆଭିମୁଖ୍ୟ ନେଇ ଆଲୋଚନା କରିବେ।ବିତନା ପଞ୍ଚାୟତ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ପଡ଼ିଆରୁ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଲୋକଙ୍କ ପାଇଁ କରିଥିବା କାର୍ଯ୍ୟ ଓ ଦଳର କାର୍ଯ୍ୟଧାରା ଯୋଗୁଁ ବିଜେଡି ଲୋକଙ୍କ ହୃଦୟରେ ରହିଛି ଏବଂ ଆଗକୁ ମଧ୍ୟ ରହିବ।ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ନେଇ ପ୍ରମିଳା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଓଡ଼ିଶା କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପିଲାଙ୍କ ପାଠପଢ଼ା ପାଇଁ ପାଠ୍ୟପୁସ୍ତକର ଅଭାବ, ବୟସ୍କଙ୍କ ପେନ୍‌ସନ୍‌, ଚାଷୀ ଓ ମହିଳାଙ୍କ ସମସ୍ୟା ସହ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସେ ପ୍ରଶ୍ନ ଉଠାଇଥିଲେ।ସେହିପରି ରଥଯାତ୍ରା ପରିଚାଳନା, ବନ୍ୟା ରିଲିଫ୍‌, ଧାନ ସଂଗ୍ରହ, ନିଯୁକ୍ତି ପରୀକ୍ଷା ଓ ଅର୍ଥ ବ୍ୟବସ୍ଥା ଭଳି ବିଭିନ୍ନ କ୍ଷେତ୍ରର ସରକାରୀ ପରିଚାଳନାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କ୍ଷେତ୍ରଗୁଡ଼ିକରେ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ। ଖଣି ନୀତି ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ର ସରକାର ଓ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଥିଲେ। ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟବାସୀଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ବିଜେଡିର ଅଭିଯୋଗକୁ ସେ ଦୋହରାଇବା ସହ ଏ ପ୍ରସଙ୍ଗରେ ରାଜ୍ୟ ସରକାର ନିରବ ଥିବା କହିଥିଲେ। ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ମଧ୍ୟ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକ ସ୍ୱର ଉଠାଉନଥିବା ସେ ଅଭିଯୋଗ କରିଥିଲେ।ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଥିବା ଅଭିଯୋଗ କରି ଏଥିପାଇଁ ସରକାର ଉତ୍ତରଦାୟିତ୍ୱ ନେଉନଥିବା ମଧ୍ୟ ପ୍ରମିଳା କହିଥିଲେ। ଏଥିସହ ରାଜ୍ୟର ରାଜସ୍ୱ ଓ ଋଣଭାର ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ରାଜସ୍ୱ ସଂଗ୍ରହ କମୁଥିବା ବେଳେ ବଜେଟ୍‌ରେ ବ୍ୟୟବରାଦ ହୋଇଥିବା ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରୁନାହିଁ। ଏହା ସତ୍ତ୍ୱେ ରାଜ୍ୟର ଋଣଭାର ବଢ଼ିଚାଲିଥିବା ଦାବି କରି ସେ ‘ଟଙ୍କା ଯାଉଛି କୁଆଡ଼େ?’ ବୋଲି ପ୍ରଶ୍ନ କରିଥିଲେ।ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିଆସିଛି ଏବଂ ଆଗାମୀ ଦିନରେ ଏହି ଲଢ଼େଇକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ। ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଏ ନେଇ ଆହ୍ୱାନ ଦେଇଥିବା ଦର୍ଶାଇ ପ୍ରମିଳା କହିଥିଲେ ଯେ, ସମସ୍ତେ ଏକଜୁଟ୍‌ ହୋଇ ସରକାରଙ୍କୁ ଜବାବ ମାଗିବା ଆବଶ୍ୟକ।ପଦଯାତ୍ରାରେ ବିଜେଡି ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲ, ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଅହଲ୍ୟା ସ୍ୱାଇଁ, ମାମିନା ମଲ୍ଲିକ, ବିଜେଡି ସଂଯୋଜକ ପ୍ରଦୀପ ମହାନ୍ତି, ଛାତ୍ର ବିଜେଡି ସଭାପତି ଲେନିନ୍‌ କୁମାର ଦାସ, ଯୁବ ବିଜେଡି ସଭାପତି ଦିଲ୍ଲୀପ କୁମାର ରାଉଳଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।