Hot Posts

6/recent/ticker-posts

ଦୟନୀୟ ହୋଇ ପଡିଛି ଛତିକୁଡା ବ୍ରୀଜ ଓ ରାସ୍ତା

କଳାହାଣ୍ଡି, ୦୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତର ଛତିକୁଡା ଛକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥଳି। ଛକରୁ ମାତ୍ର ୨୦୦ ମିଟର ଦୂରରେ ଭବାନୀପାଟଣା ଦିଗରେ ରହିଥିବା ଛତିକୁଡା ବ୍ରୀଜ ଏବଂ ଛକରୁ ବ୍ରୀଜ ଯାଏଁ ୨୦୦ ମିଟର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତାରୁ କାହିଁ କେଉଁ କାଳରୁ ପିଚୁ ଉଠିଯାଇଥିବା ବେଳେ ବଡ ବଡ ଖାଲ ଖମାର ଓ ଗୋଡ଼ିି ରେ ଭରି ଯାଇଛି ରାସ୍ତା ଟି। ଆଉ ଦୀର୍ଘ ୫୦ ବର୍ଷ ତଳୁ ନିର୍ମିତ ଛତିକୁଡା ବ୍ରୀଜର ଅବସ୍ଥା ଆହୁରି ଶୋଚନୀୟ। ବ୍ରୀଜ ଉପରେ ବଡ ବଡ ଗାତ ସୃଷ୍ଟି ହେବା ସହ ରଡ ଗୁଡିକ ପଦାକୁ ଫୁଟିକି ବାହାରିଛି। କେଉଁ ମାନ୍ଧାତା ଅମଳରୁ ନିର୍ମିତ ଏହି ସେତୁଟି ର କାର୍ଯ୍ୟକାଳ ପୁରି ସାରିଲାଣି। ଭବାନୀପାଟଣାରୁ ଛତିକୁଡା ଛକଦେଇ ନର୍ଲା ଓ ଭୁବନେଶ୍ୱର ଏବଂ ଅନ୍ୟପଟେ ଏହି ଛତିକୁଡା ଛକ ଦେଇ ରାୟଗଡା ଓ ବିଶାଖାପାଟଣାକୁ ସଂଯୋଗ କରୁଛି ରାସ୍ତା ଟି। ଆଉ ଏହି ରାସ୍ତାର ମୁଖ୍ୟ ସେତୁ ଭାବରେ ରହିଛି ଛତିକୁଡା ବ୍ରିଜ। ଯାହାର ପରିସ୍ଥିତି ବହୁ ଦୟନୀୟ। ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ମରାମତି ହୋଇନି। ଫଳରେ ଛତିକୁଡା ଛକରୁ ବ୍ରୀଜ ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ବ୍ରିଜ ଟି ବିପଦ ସଂକୁଳ ଅବସ୍ଥାରେ ରହିଛି। କେତେବେଳେ ଯେ ଭାଙ୍ଗିଯିବ ତାର ଠିକ ଠିକଣା ନାହିଁ। ବ୍ରିଜ ଦେଇ ଭବାନୀପାଣା ରୁ ବିଶାଖାପାଟଣା ସଂଯୋଗ ହୋଇଥିବାରୁ ଏହି ରାସ୍ତା ଦେଇ ଦେପୁର ଛକରୁ ପାଷ୍ଟିକୁଡି ଦେଇ କେସିଙ୍ଗା ପଟେ ହଜାର ହଜାର ସଂଖ୍ୟାରେ ମାଲ ବୋଝେଇ ଭାରିଯାନ ୧୬, ୧୮, ୨୨ ଚକିଆ ଟ୍ରକ, ଲାରି ଓ ବେଦାନ୍ତ କମ୍ପାନୀକୁ ବକ୍ସାଇଟ ଗାଡି ସବୁ ପ୍ରତ୍ୟହ ଯିବା ଆସିବା କରିଥାଏ। ଏହା ଆନ୍ଧ୍ର ପ୍ରଦେଶରୁ ସମ୍ବଲପୁର, ରାଉରକେଲା ଓ କଲିକତାକୁ ସଂଯୋଗ ହୋଇଥିବାରୁ ନିତ୍ୟ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଭାରିଯାନ ଗୁଡିକ ଏହି ବ୍ରିଜ ଦେଇ ଯିବା ଆସିବା କରିଥାଏ। ବହୁ କାଳରୁ ନିର୍ମିତ ଏହି ବ୍ରିଜ ଟି ଅଣ ଓସାରିଆ ହୋଇଥିବାରୁ ଏକା ସାଙ୍ଗରେ ଦୁଇ ଗୋଟି ଭାରିଯାନ ବ୍ରିଜ ଉପରେ ଯାଇପାରି ନଥାଏ। ଗୋଟିଏ ଭାରିଯାନ ଯିବା ପରେ ହିଁ ଆଉ ଗୋଟିଏ ଗାଡି ଯାଇଥାଏ। ଏଭଳି ଅବସ୍ଥାରେ ବ୍ରିଜ ଉପରେ ସ୍ଥାନେ ସ୍ଥାନେ ଭାଙ୍ଗିଯାଇ ବଡ ବଡ ଖାଲ ଖମାର ସୃଷ୍ଟି ହୋଇଥିବାରୁ ବିପଦ ଦ୍ୱିଗୁଣିତ ହୋଇଯାଇଛି। ରାସ୍ତାରେ ଭାରିଯାନ ଗୁଡିକ ଅନବରତ ଚାଲୁଥିବାରୁ ଧୁଳି ଧୁଆଁରେ ଦିନ ଦ୍ୱି ପହରରେ ମଧ୍ୟ ଅନ୍ଧକାର ମୟ ପରିବେଶ ସୃଷ୍ଟି ହେଉଛି। ଏଥିରେ ବସ ଯାତ୍ରୀ ଓ ବାଇକ ଆରୋହୀ ମାନେ ଏଇ ବାଟ ଦେଇ ଯିବା ବେଳେ ଅଣ ନିଶ୍ୱାସୀ ହୋଇ ପଡୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ କହୁଛନ୍ତି ପୂର୍ବ ରାଜ୍ୟ ବିଜେଡି ସରକାର ଅମଳରେ ଯାହା ରାସ୍ତା ଖଣ୍ଡିକ ତିଆରି ହୋଇଥିଲା। ଏବେ ରାଜ୍ୟ ବିଜେପି ସରକାର ସମୟରେ ରାସ୍ତାଟି ଅବହେଳାର ଶିକାର ହୋଇ ପଡିଥିବା ଆଲୋଚନା ହେଉଛି। ରାସ୍ତା ଓ ବ୍ରିଜ ର ଶୋଚନିୟ ପରିସ୍ଥିତି ହୋଇ ପଡିଥିବା ବେଳେ ଏହାର ମରାମତି କିମ୍ବା ନିର୍ମାଣ ପାଇଁ କାହିଁକି ଦୃଷ୍ଟି ଦେଉ ନାହାନ୍ତି ସରକାର? ପିଡବ୍ଲୁଡି ବିଭାଗ କାହିଁକି ଶୋଇ ପଡିଛି।ଏହି ରାସ୍ତା ଦେଇ ଆସୁଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ରାସ୍ତାର ପରିସ୍ଥିତି ଦେଖାଯାଉନି କାହିଁକି? କେବେ ମରାମତି ହେବ ଛତିକୁଡା ରାସ୍ତା ଓ କେବେ ନିର୍ମାଣ ହେବ ଛତିକୁଡା ବ୍ରିଜ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।




କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ