Hot Posts

6/recent/ticker-posts

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, ୦୩/୧୦ ( ଜଗଦିଶ ମେହେର ) : ସେବା ସଂକଳ୍ପ ଅଭିଯାନ ୨୦୨୬ ଆଧାରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ଆସନ୍ତା ୭ ଅକ୍ଟୋବର, ୨୦୨୬ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ରାଜେନ୍ଦ୍ର ମାଝୀ, ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଉପଲବ୍ଧିଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସମାଜର ବିଭିନ୍ନ ବର୍ଗଙ୍କୁ ୨୦୪୭ ବିକଶିତ ଭାରତ ସଂକଳ୍ପ ସହ ଯୋଡ଼ିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତର ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଵୀକୃତ ହୋଇଥିଲା ବୈଠକରେ ବିସ୍ତୃତ ଆଲୋଚନା ପରେ ସ୍ଥିର କରାଯାଇଥିଲା ଯେ, ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ମା’ ସୁରେଶ୍ୱରୀ ମନ୍ଦିରଠାରୁ ପୂର୍ବାହ୍ନ ୮ ଘଟିକାରେ ଆରମ୍ଭ ହୋଇ ସୋନପୁର କଲେଜ, ସୋନପୁରଠାରେ ପହଞ୍ଚିବ। ସେଠାରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶନ ସହ ବନ୍ଦେ ମାତରମ୍ ସଂଗୀତ ଗାନ ଓ ପରିବେଷଣ କରାଯିବ। ଏଥିସହ ବିକଶିତ ଭାରତ ୨୦୪୭ ଗଠନ ପାଇଁ ସାମୂହିକ ଶପଥ ପାଠ କରାଯିବ। ସୋନପୁର କଲେଜଠାରେ ରଙ୍ଗୋଲି ଆଦିର ବ୍ୟବସ୍ଥା କରାଯିବ। ସେବା ଜ୍ୟୋତି ବହନ କରୁଥିବା ଏକ ସୁସଜ୍ଜିତ ଯାନ ଶୋଭାଯାତ୍ରାର ସମ୍ମୁଖରେ ଗତି କରିବ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମଞ୍ଚ ସଜ୍ଜା, ଏଲ୍‌ଇଡି ଓ ସାଉଣ୍ଡ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରିଷ୍କାର ପରିଚ୍ଛନ୍ନତା ଓ ଜଳଯୋଗ ଆଦି ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସୁବର୍ଣ୍ଣପୁର, ଉପଜିଲ୍ଲାପାଳ, ସୋନପୁର, ଉପଜିଲ୍ଲାପାଳ, ବୀରମହାରାଜପୁର, ସହକାରୀ ଅଗ୍ନିଶମ ଅଧିକାରୀ, ସୋନପୁର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ସୋନପୁର, ତଥା ଶ୍ରୀ ବିଶ୍ୱମ୍ବର ମିଶ୍ର, ଶ୍ରୀ ସନ୍ତୋଷ ପ୍ରଧାନ, ଶ୍ରୀ ସୁବ୍ରତ ବାରିକ୍, ଶ୍ରୀ ନରେଶ ସାଣ୍ଢ, ଜିଲ୍ଲା ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ସଂଯୋଜକ, ମିଶନ ଶକ୍ତି, ସୋନପୁରର କାର୍ଯ୍ୟକ୍ରମ ସଂଯୋଜକ, ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ, ମାଇ ଭାରତ, ସୋନପୁରର ଜିଲ୍ଲା ଯୁବ ଅଧିକାରୀ, ଜିଲ୍ଲା ନୋଡାଲ ଅଧିକାରୀ, ଏନ୍‌ଏସ୍‌ଏସ୍‌, ସୋନପୁର, ସରକାରୀ ପଲିଟେକ୍ନିକ୍, ସୋନପୁରର ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକର ପ୍ରାରମ୍ଭରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କ୍ରୀଡ଼ା ବିଭାଗ ପକ୍ଷରୁ ମିଳିଥିବା ମାର୍ଗଦର୍ଶିକା ଆଧାରରେ ବୈଠକରେ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ।