ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ନୂଆପଡ଼ା ଜ଼ିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି
ନୂଆପଡ଼ା, ୦୧/୧୦ ( ପରମେଶ୍ୱର ମେହେର ) : ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (PM-ABHIM) ଏବଂ ପଞ୍ଚଦଶ ଅର୍ଥ ଆୟୋଗ (XV-FC) ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ନୂଆପଡ଼ା ଜିଲ୍ଲା ୯୩.୩୩ ପ୍ରତିଶତ ଭୌତିକ ସଫଳତା (physical achievement) ହାସଲ କରି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ଅନ୍ତର୍ଗତ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ଭବନ ନିର୍ମାଣ ସହିତ ବିଦ୍ୟମାନ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ମରାମତି, ପୁନରୁଦ୍ଧାର ଓ ଉନ୍ନତୀକରଣ କାର୍ଯ୍ୟ ସାମିଲ ରହିଛି। ଏହା ମାଧ୍ୟମରେ ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ଼, ସୁରକ୍ଷିତ ଓ ଲୋକାଭିମୁଖୀ କରିବା ଦିଗରେ ପଦକ୍ଷେପ ନିଆଯାଇଛି। NHM ଅଧୀନରେ ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ସହ ବିଦ୍ୟମାନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଉନ୍ନତୀକରଣକୁ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ନିର୍ମାଣ କାର୍ଯ୍ୟର ନିୟମିତ ସମୀକ୍ଷା, ବିଭିନ୍ନ ବିଭାଗ ଓ କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ, ସମୟୋଚିତ ପଦକ୍ଷେପ ଏବଂ କାର୍ଯ୍ୟର ଅଗ୍ରଗତି ଉପରେ ନିରନ୍ତର ନଜର ଏହି ସଫଳତାରେ ସହାୟକ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମାସିକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଏହି ସଫଳତା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ଏହି ଉଲ୍ଲେଖନୀୟ ଅଗ୍ରଗତି ପାଇଁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଗୁଣାତ୍ମକ ଭାବେ ଏବଂ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟସେବାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ, ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ଓ ସେବା ପ୍ରଦାନର ସ୍ଥିତି ନେଇ ମଧ୍ୟ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ବୈଠକରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଇଶାନୀ ମିତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।