ଚାଷୀଙ୍କ ବହୁବିଧ ସମସ୍ୟାର ଆଶୁ ସମାଧାନ ପାଇଁ ବିଂଝାରପୁର ତହସିଲଦାରଙ୍କୁ ଭେଟିଲେ ଚାଷୀ ନେତୃବୃନ୍ଦ
ବିଂଝାରପୁର, ୨୬/୧୦ (ପ୍ରଦୀପ କୁମାର ମଲ୍ଲିକ) : ବିଂଝାରପୁର ବ୍ଲକର ବହୁ ପଂଚାୟତ ବନ୍ୟା ପ୍ରଭାବିତ ହୋଇଥବାରୁ ଚାଷୀଙ୍କୁ ଅଦ୍ୟାବଧି କୃଷି ସହାୟତା ରାଶି ପୈଠ କରାଯାଇନାହିଁ। ଧାନ ଫସଲ ବହୁ ପଂଚାୟତ ରେ ନଷ୍ଟ ହୋଇଯାଇଥିବା ବେଳେ ଯେଉଁ ପଂଚାୟତ ମାନଙ୍କରେ ଧାନ ଫସଲ ଅଛି, ତାହା ମଧ୍ଯ ଅଜଣା ରୋଗ ପୋକ ଦାଉରୁ ନଷ୍ଟ ହେବାକୁ ବସିଲାଣି, ବିରି ଫସଲ ମଧ୍ଯ କାଳିମୁଣ୍ଡି ପୋକ ପ୍ରଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି , ବେଡି ଉପରେ କୋରଡା ପରି ଚାଷୀ ମଣ୍ଡରେ ବଜ୍ର ପଡ଼ିଲାଣି। କିଭଳି କରଜ ସୁଜିବ, ସେହି ଚିନ୍ତା ବର୍ତମାନ ଚାଷୀଙ୍କୁ ଘାରିଛି। ପୁଣି ବର୍ତ୍ତମାନ ପାଣି ଅଭାବରୁ ଧାନ କ୍ଷେତରେ ଥୋର ବାହାରି ପାରୁନାହିଁ। ଲଘୁଚାପ ବର୍ଷା ହେବ ହେବ ବୋଲି ଚାଷୀ ଚାତକ ପରି ଚାହିଁ ରହିଛି, କିନ୍ତୁ ଚାଷୀର ଆଶା ମଉଳି ଯାଉଛି। ଏପଟେ କେନାଲର ମରାମତି ନକରାଯିବାରୁ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଆସୁନଥିବାରୁ ଗୁହାଳି ଘଣ୍ଟିଆଳି ଅରେଇ ଚିକଣା, ଶାସନ୍ଦା ଗ୍ରାମର ଚାଷୀମାନେ ବେଶି ଅସୁବିଧା ଭୋଗୁ ଛନ୍ତି, ସେମାନଙ୍କ ଜମିକୁ କେନାଲ ପାଣି ନଆସିବା ଯୋଗୁ ସେମାନଙ୍କ ଧାନର ଥୋର ମଧ୍ଯ ବହାରିପରୁନାହିଁ। ଏଣୁ ଏହି ସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଆଜି ବିଂଝାରପୁର ଅଞ୍ଚଳର କିଛି ଚାଷୀ ପ୍ରତିନିଧି ବିଂଝାରପୁର ତହସିଲଦାର ଓ ବ୍ଳକ ସହକାରୀ କୃଷି ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ଆଜି ପୂର୍ବାହ୍ନରେ ଭେଟି ଦେଇଛନ୍ତି। ତହସିଲଦାର ଓ ସହକାରୀ କୃଷି ସମ୍ପ୍ରସାରଣ ଅଧିକାରୀଙ୍କ ସହିତ ଚାଷୀ ନେତୃତ୍ୱଙ୍କ ଆଲୋଚନା ସଫଳ ହୋଇଛି, ଆସନ୍ତା ଏକ ସପ୍ତାହ ମଧ୍ୟରେ ଚାଷୀଙ୍କ ଦାବୀ ପୂରଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ତହସିଲଦାର ଦେଇଛନ୍ତି। ଆଜିର ପ୍ରତିନିଧି ଦଳରେ ସର୍ବଶ୍ରୀ ସନାତନ ସାହୁ, ରବୀନ୍ଦ୍ର ଧଳ, ସାଂସଦଙ୍କ କୃଷି ପ୍ରତିନିଧି ଜଜୟ ବେହେରା, ଭୁବନାନନ୍ଦ ସାମଲ, ସୂର୍ଯ୍ୟମଣି ଦାଶ,ଜଗତ ମୋହନ ସାହୁ, ଧନେଶ୍ୱର ସାମଲ, ତପନ ସ୍ୱାଇଁ, ଗୋପାଳ ପ୍ରଧାନ,ଅମୂଲ୍ୟ ଦେବତା, ରମେଶ ସାମଲ ଆଦି ସାମିଲ ହୋଇଥିଲେ।