Hot Posts

6/recent/ticker-posts

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାୟଗଡ଼, ୦୨/୧୦ ( ଭି. ଗୌରୀ ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲାରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୌରପରିଷଦ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସକାଳୁ ରାମଧୁନ ପ୍ରଚାର କରାଯାଇଥିଲା। ପାରବର୍ତ୍ତୀ ସମୟରେ ଗଜପତି ଛକଠାରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରୀ ଟୁନି ହୁଇକା,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ର ନାଥ କହଁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ସଂକୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ ପ୍ରଫେସର ଦୁଷ୍ମନ୍ତ କୁମାର ମହାନ୍ତି, ରାୟଗଡ଼ ଓକିଲ ସଂଘ ସଭାପତି ଶ୍ରୀ ବ୍ରଜସୁନ୍ଦର ନାୟକ, ସମାଜସେବୀ ଟି. ଗୌରୀ, ବରିଷ୍ଠ ନାଗରିକ ଶ୍ରୀ ସତ୍ୟବାଦୀ ପତି ଓ ଶ୍ରୀ ପ୍ରତାପ ଚନ୍ଦ୍ର ବାଉରୀଙ୍କ ସମେତ ୱାକର୍ସ କ୍ଲବ୍‌ର ସଦସ୍ୟ, ପୋଲିସ ପ୍ରଶାସନର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ, ଓ ସାଧାରଣ ଜନତା ରାୟଗଡ଼ ଯୋଗଦେଇଥିଲେ। ଶୋଭାଯାତ୍ରା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଅତିଥିମାନେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏଥିରେ ହିନ୍ଦୁ ଧର୍ମ ପକ୍ଷରୁ ଶ୍ରୀ ଗଙ୍ଗା କିଶୋର ବ୍ରହ୍ମା, ମୁସଲିମ ଧର୍ମ ପକ୍ଷରୁ ଶ୍ରୀ ହାଫିଜ ଶେଖ ମେହେବୁବ ଆଜମ୍ ଏବଂ ଖ୍ରୀଷ୍ଟିଆନ ଧର୍ମ ପକ୍ଷରୁ ଶ୍ରୀ ଆଣ୍ଡ୍ରୁ ବାଚିଲି ପ୍ରାର୍ଥନା ପରିଚାଳନା କରିଥିଲେ। ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମରେ ସମସ୍ତ ଶୋଭାଯାତ୍ରୀଙ୍କ ସମେତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସତ୍ୟ କୁମାର ନନ୍ଦ, ପୌରପାଳିକା ଉପାଧ୍ୟକ୍ଷା ଶ୍ରୀମତୀ ଶ୍ରମିତା ପାଢ଼ୀ, ପୌରପାଳିକାର କାଉନସିଲର, ପୋଲିସ ପ୍ରଶାସନର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ଏହାପରେ ପି.ଏମ୍. ଶ୍ରୀ ଜି.ସି.ଡି. ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ, ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଏବଂ ‘ସେବା ସଙ୍କଳ୍ପ ଅଭିଯାନ’ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ରକ୍ତଦାନ କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ କଳିଙ୍ଗ ପୂଜାରୀ କରିଥିଲେ। ଏହାପରେ ପି.ଏମ.ଶ୍ରୀ ଜି.ସି.ଡି ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ରାୟଗଡ ବାଳିକା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରୀ ରୌମ୍ୟ ରଞ୍ଜନ ସାହୁ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ ଓ ଦେଶ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ପିଏମ୍‌ ଶ୍ରୀ ଜିସିଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ନମିତା ପଧାନ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଝୋଟି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ଏବଂ ସ୍ୱଚ୍ଛତା କାର୍ଯ୍ୟରେ ଅବଦାନ ପାଇଁ ପୌରପାଳିକାର ସଫେଇ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସର୍ବଧର୍ମ ସମନ୍ୱୟର ଆଦର୍ଶ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରଳତା, ନିଷ୍ଠା, ଦେଶସେବା ଓ କର୍ତ୍ତବ୍ୟପରାୟଣତାକୁ ଜୀବନରେ ଅନୁସରଣ କରି ଏକ ସ୍ୱଚ୍ଛ, ଶାନ୍ତିପୂର୍ଣ୍ଣ ଓ ଦାୟିତ୍ୱବାନ ସମାଜ ଗଠନ ଦିଗରେ ଆଗେଇ ଯିବା ପାଇଁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ଶିକ୍ଷାବିତ ଶ୍ରୀ ଅଶୋକ କୁମାର ଦାଶ ଦାୟିତ୍ୱ ତୁଲାଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ରାୟଗଡ଼ଙ୍କ ସମନ୍ୱୟରେ କାର୍ଯ୍ୟକ୍ରମର ସମସ୍ତ ଆୟୋଜନ ଓ ପରିଚାଳନା କରାଯାଇଥିଲା।