Hot Posts

6/recent/ticker-posts

ଲଗାଣ ବର୍ଷାରେ ଭାଙ୍ଗିଲା ରାସ୍ତା ଓ ପୋଲ, ଯାତାୟାତ ବାଧାପ୍ରାପ୍ତ, ମରାମତି ଦାବି କଲେ ଭିତର କର୍ମରୀ ସମେତ ୫ ଖଣ୍ଡ ଗ୍ରାମବାସୀ

ଝରିଗାଁ, ୦୨/୧୦ (ନକୁଳ ଭତରା.) : ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା। ବର୍ଷା ଯୋଗୁଁ ରାସ୍ତା ଓ ପୋଲ ଭାଙ୍ଗିଯିବାରୁ ଯାତାୟାତରେ ନାନା ସମସ୍ୟା ଦେଖାଦେଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭିତର କର୍ମରୀ ଗ୍ରାମରେ ଏଭଳି ସ୍ଥିତି ଉପୁଜିଛି। ରାସ୍ତାର ବିଭିନ୍ନ ସ୍ଥାନ ଭାଙ୍ଗିଯିବା ସହ ପୋଲ ଉଖୁଡ଼ି ଯାଇଥିବାରୁ ଗ୍ରାମବାସୀଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ିଛି। ଏହାର ତୁରନ୍ତ ମରାମତି ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ ଅବପାତର ପ୍ରଭାବରେ ଝରିଗାଁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ଭିତର କର୍ମରୀ ଗ୍ରାମର ରାସ୍ତାର ଅନେକ ସ୍ଥାନ ନଷ୍ଟ ହେବା ସହ ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭିତର କର୍ମରୀ ଗ୍ରାମର ଏହି ରାସ୍ତା ଉପରେ ଜାମକୋଟ, ନୂଆପଡ଼ା, ବାଘପାଣି, ଉପରପଡ଼ା ଓ ସାତ ଭଉଣୀଖୋଲ ଆଦି ଅଞ୍ଚଳର ଲୋକେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ଏହାବ୍ୟତୀତ ଭିତର କର୍ମରୀ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ବ୍ୟବହାର କରନ୍ତି। ରାସ୍ତା ଓ ପୋଲର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ରାସ୍ତା ନଷ୍ଟ ହେବା ଯୋଗୁଁ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଚାଷବାସ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି ବର୍ଷା ସମୟରେ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଭାଙ୍ଗିଯାଇଥିବା ରାସ୍ତା ଓ ପୋଲର ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ନରେନ୍ଦ୍ର ମାଝୀ, କରୁଣା ମାଝୀ, ସୁନ୍ଦର ସିଂ ପୂଜାରୀ, ଚୈତନ୍ୟ ମାଝୀ, ମହେନ୍ଦ୍ର ଗୋପାଳ ଓ ପୂର୍ଣ୍ଣମୀ ମାଝୀଙ୍କ ସମେତ ଅଞ୍ଚଳର ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ରାସ୍ତା ଓ ପୋଲର ଶୀଘ୍ର ମରାମତି କରାଗଲେ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଦୂର ହୋଇପାରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।