Hot Posts

6/recent/ticker-posts

କେନ୍ଦୁଝର ମାଇନର୍ସ ଓଡ଼ିଶା ଟି-୨୦ ଲିଗ୍‌ ଚାମ୍ପିଅନ୍‌: ଫାଇନାଲ୍‌ରେ ସମ୍ବଲପୁର ୱାରିୟର୍ସକୁ ୯ ୱିକେଟ୍‌ରେ ହରାଇଲା

କଟକ, ୦୧/୧୦ ( କାହୁଁ ଚରଣ ବାରିକ ) : କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌—ସିଏମ୍‌ ଟ୍ରଫିର ଫାଇନାଲ୍‌ରେ ସମ୍ବଲପୁର ୱାରିୟର୍ସକୁ ୯ ୱିକେଟ୍‌ରେ ପରାସ୍ତ କରି କେନ୍ଦୁଝର ମାଇନର୍ସ ଚାମ୍ପିଅନ୍‌ ହୋଇଛି। ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ପ୍ରଭାବଶାଳୀ ପ୍ରଦର୍ଶନ କରି କେନ୍ଦୁଝର ଦଳ ଫାଇନାଲ୍‌ରେ ଏକତରଫା ବିଜୟ ହାସଲ କରିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ କେନ୍ଦୁଝର ମାଇନର୍ସ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚାମ୍ପିଅନ୍‌ ହେବା ଦଳର ଅଭିଯାନର ଏକ ପ୍ରମୁଖ ବିଶେଷତା ପାଲଟିଛି। ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ସମ୍ବଲପୁର ୱାରିୟର୍ସ ୧୮.୩ ଓଭରରେ ୧୦୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। କେନ୍ଦୁଝରର ବୋଲରମାନେ ଆରମ୍ଭରୁ ସମ୍ବଲପୁର ଉପରେ ଚାପ ସୃଷ୍ଟି କରିଥିଲେ। ନିୟମିତ ୱିକେଟ୍‌ ପତନ ଯୋଗୁଁ ସମ୍ବଲପୁର ଏକ ସମୟରେ ୫୫ ରନ୍‌ରେ ୮ ୱିକେଟ୍‌ ହରାଇଥିବା ବେଳେ ଶେଷରେ ୧୦୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। କେନ୍ଦୁଝର ପକ୍ଷରୁ ଜମାଲା ମହାପାତ୍ର ଚମତ୍କାର ବୋଲିଂ କରି ୪ ଓଭରରେ ୧୩ ରନ୍‌ ବ୍ୟୟ କରି ୨ଟି ୱିକେଟ୍‌ ହାସଲ କରିଥିଲେ। ୧୦୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କେନ୍ଦୁଝର ଆରମ୍ଭରେ ରାଜେଶ ଧୁପରଙ୍କ ୱିକେଟ୍‌ ହରାଇଥିଲା। ସେ ୪ଟି ବଲ୍‌ରୁ ମାତ୍ର ୧ ରନ୍‌ କରିଥିଲେ। ତେବେ ଏହାପରେ ମୟଙ୍କ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ଦଳକୁ ଆଉ କୌଣସି ଝଟକା ଲାଗିବାକୁ ଦେଇନଥିଲେ ଏବଂ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ରାଜ୍ୟସଭା ସାଂସଦ ମନମୋହନ ସାମଲ ଉପସ୍ଥିତ ଥିଲେ। ଏହାସହ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡ଼ିଶା ଆସୋସିଏସନ୍‌ ଫର୍‌ ରୋଇଂ ଆଣ୍ଡ ସ୍କଲିଂର ସଭାପତି ବିନୋଦ ଦାଶ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍‌ର ମହାସଚିବ ଅବିଜିତ୍‌ ପଲ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଓସିଏ ଆପେକ୍ସ କାଉନସିଲ୍‌ ସଦସ୍ୟମାନଙ୍କ ପକ୍ଷରୁ ବିଶିଷ୍ଟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିମାନଙ୍କୁ ବିଭିନ୍ନ ବ୍ୟକ୍ତିଗତ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ‘ମୋମେଣ୍ଟ ଅଫ୍‌ ଦି ସିଜନ୍‌’ ପୁରସ୍କାର ସ୍ୱସ୍ତିକ ସାମଲଙ୍କୁ ଗୁଲଶନ ଝୁରାନୀ ପ୍ରଦାନ କରିଥିଲେ। ‘ପ୍ଲେୟର ଅଫ୍‌ ଦି ସିଜନ୍‌’ ପୁରସ୍କାର କେନ୍ଦୁଝର ମାଇନର୍ସର ଭାଗେଶ ଶର୍ମାଙ୍କୁ ଭାରତ ମସଲାର ମ୍ୟାନେଜିଂ ଡାଇରେକ୍ଟର ସୁଶାନ୍ତ କୁମାର ପଣ୍ଡା ପ୍ରଦାନ କରିଥିଲେ। ସେହିପରି ‘ପର୍ପଲ୍‌ କ୍ୟାପ୍‌’ ମଧ୍ୟ ଭାଗେଶ ଶର୍ମାଙ୍କୁ ବୁଢ଼ାବାବା ହସ୍ପିଟାଲ୍‌ର ପ୍ରତିନିଧି ଜ୍ୟୋତି ରଞ୍ଜନ ମିଶ୍ର ପ୍ରଦାନ କରିଥିବା ବେଳେ ‘ଅରେଞ୍ଜ୍‌ କ୍ୟାପ୍‌’ ଶାନ୍ତନୁ ମିଶ୍ରଙ୍କୁ ଭାରତ ମସଲାର ମ୍ୟାନେଜିଂ ଡାଇରେକ୍ଟର ସୁଶାନ୍ତ କୁମାର ପଣ୍ଡା ପ୍ରଦାନ କରିଥିଲେ। ଏହାଛଡ଼ା ମ୍ୟାଚ୍‌ ଅଫିସିଆଲ୍‌ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଅମ୍ପାୟାର ଧୀରଜ କୁମାର ସିଂହ ଓ ଅରୁଣ କୁମାର ବସା, ଥାର୍ଡ ଅମ୍ପାୟାର ଦୁର୍ଗାଦତ୍ତ ଦାସ, ଫୋର୍ଥ ଅମ୍ପାୟାର ସୁବ୍ରତ ଦାସ, ସ୍କୋରର ବୀରବର ନାୟକ ଓ ସନ୍ଦୀପ ଜୀ ଏବଂ ରେଫରୀ ପି. ଜୟଚନ୍ଦ୍ରଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଚାମ୍ପିଅନ୍‌ କେନ୍ଦୁଝର ମାଇନର୍ସର ଖେଳାଳିମାନଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ବିଜେତା ପଦକ ପ୍ରଦାନ କରିଥିଲେ। ବିଜେତା ଦଳକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ମନମୋହନ ସାମଲ ଚେକ୍‌ ପ୍ରଦାନ କରିଥିଲେ। ଏହାପରେ ଚାମ୍ପିଅନ୍‌ସିପ୍‌ ଟ୍ରଫି ମଧ୍ୟ କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲଙ୍କ ଦ୍ୱାରା କେନ୍ଦୁଝର ମାଇନର୍ସକୁ ପ୍ରଦାନ କରାଯାଇଥିଲା। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟରୁ ଅଭିଯାନ ଆରମ୍ଭ କରି ଚାମ୍ପିଅନ୍‌ ଟ୍ରଫି ହାସଲ କରିବା ପର୍ଯ୍ୟନ୍ତ କେନ୍ଦୁଝର ମାଇନର୍ସର ଯାତ୍ରା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌—ସିଏମ୍‌ ଟ୍ରଫିର ଏକ ଉଲ୍ଲେଖନୀୟ ଅଧ୍ୟାୟ ପାଲଟିଛି।