କୃପାକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ପାଳିତ l
ବାଲେଶ୍ଵର , ୦୫/୦୯ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ ମଠ ଓ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ପାଳିତ ହେଇଥିବ ବେଳେ ଇଡିଦା ପଞ୍ଚାୟତ ନାରଗୁଦା ଠାରେ ଅନୁଷ୍ଠିତ କୃପାକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଭକ୍ତି ଓ ଆନନ୍ଦମୟ ପରିବେଶରେ ଧୁମଧାମରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମିଥିଲା। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଧର୍ମ, ସତ୍ୟ, ନ୍ୟାୟ ଓ ନିଷ୍କାମ କର୍ମର ପ୍ରତୀକ। ଦ୍ୱାପର ଯୁଗରେ ଅଧର୍ମର ବିନାଶ ଓ ଧର୍ମର ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀକୃଷ୍ଣ ମର୍ତ୍ତ୍ୟମଣ୍ଡଳରେ ଅବତରଣ କରିଥିଲେ। ତାଙ୍କ ଜୀବନରେ ପ୍ରେମ, ଭକ୍ତି, କର୍ତ୍ତବ୍ୟ ଓ ଧର୍ମର ଅନନ୍ୟ ସମନ୍ୱୟ ଦେଖିବାକୁ ମିଳେ। କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ପ୍ରଦାନ କରିଥିବା ଶ୍ରୀମଦ ଭଗବଦ ଗୀତାର ଉପଦେଶ ଆଜି ମଧ୍ୟ ସମଗ୍ର ମାନବସମାଜକୁ ସତ୍ୟ ଓ ନିଷ୍ଠାର ପଥରେ ଆଗେଇବାକୁ ପ୍ରେରଣା ଦେଉଛି।ଜନ୍ମାଷ୍ଟମୀ ଅବସରରେ କୃପାକ୍ଷେତ୍ର ମନ୍ଦିରରେ ଶ୍ରୀକୃଷ୍ଣଙ୍କ ବିଭିନ୍ନ ପୂଜାବିଧି ସହ ଭଜନ, କୀର୍ତ୍ତନ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ମାଖନଚୋରି ଓ ଗୋପାଳ ରୂପକୁ ସ୍ମରଣକରି ଭକ୍ତମାନେ ଭକ୍ତି ଭାବରେ ଠାକୁର ଙ୍କ ଆରାଧନା କରିଥିଲେ। ରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ମନ୍ଦିର ପରିସରରେ ଘଣ୍ଟଘଣ୍ଟା, ହୁଳହୁଳି ଓ ‘ହରିବୋଲ’ ଧ୍ୱନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ଉପସ୍ଥିତ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହ ଭକ୍ତିଭାବରେ ପୂଜାର୍ଚ୍ଚନା କରିଥିଲେ। ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ସମାଜରେ ଶାନ୍ତି, ସମୃଦ୍ଧି ଓ ଭାଇଚାରା ବଜାୟ ରହୁ ବୋଲି ଭକ୍ତମାନେ ପ୍ରାର୍ଥନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସଭାପତି ରଘୁନାଥ ସାହୁ, ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ଭଞ୍ଜ, ସମ୍ପାଦକ ଅରୁଣ କୁମାର ସେଠୀ, ଜଳଧର ସେଠୀ, ବିମିଳେଶ୍ୱର ବେହେରା, ତାରାକାନ୍ତ ବେହେରା, ସଞ୍ଜୟ କୁମାର ପ୍ରଧାନ, କମଳାକାନ୍ତ ଦାସ, ଗୌରାଙ୍ଗ ମହାପାତ୍ର, ନିବେଦିତା ପାତ୍ରଙ୍କ ସମେତ ଚିମ୍ପୁ, ଟୁନା, ବିଷୁଆ, ଚିଣ୍ଟୁ, ଜଗା, ପିଣ୍ଟୁ, ଅଜୟ, ଦିଲିପ, କମ୍ବୁ ଓ ମଣ୍ଟୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l