ଜିଲ୍ଲା ସ୍ତରୀୟ ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟି
ରାୟଗଡ, ୦୫/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ ଭାଜନଲାଲ ମାଝୀ ଏହି ପବିତ୍ର ଦିବସରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ: ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ପ୍ରଚଳିତ ଶିକ୍ଷା ପଦ୍ଧତି ଓ ଗୁରୁଙ୍କ ଭୂମିକା ବିଷୟରେ ବାର୍ତ୍ତା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି, ଅତିରିକ୍ତ ମଙ୍ଗଳ ଅଧିକାରୀ ମଳୟ ନାରାୟଣ ଚିନ୍ନରା, ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ , ଏବିଇଓ ଓ ତାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାର ମୋଟ ତିରିଶି ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ବରିଷ୍ଟ ଶିକ୍ଷକ ନିଲାଞ୍ଚଳ ମିଶ୍ର ଏହାର ସଂଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଳକର୍ଣୀଙ୍କ ଅନୁମତି କ୍ରମେ ମୋଟ ତିନି ଶହ ଅଣାଅଶି ଜଣ ଶିକ୍ଷକଙ୍କୁ ମୁକ୍ତ କାଉନସିଲ ମାଧ୍ୟମରେ ପଦୋନ୍ନତି ପ୍ରଦାନ କରିଛନ୍ତି। ଶିକ୍ଷକ ଦେଶଗଠନର ମେରୁଦଣ୍ଡ । ନିଜ ଇଚ୍ଛାରେ ଚୟନ କରିଥିବା ଅନୁଷ୍ଠାନ ଓ ଶିକ୍ଷାର ଅଗ୍ରଗତି ନିମନ୍ତେ ଚେଷ୍ଟିତ ହେବାପାଇଁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାଝୀ କହିଛନ୍ତି । ପ୍ରକାଶ ଥାଉକି ଜିଲ୍ଲାରେ ମୋଟ ୫୩୨ ଗୋଟି ଲେବୁଲ III ପ୍ରଧାନ ଶିକ୍ଷକ ମଧ୍ୟରୁ ଓ ଟି ଇ ଟି ପାସ କରିଥିବା କେବଳ ୩୭୪ ଉଚ୍ଚ ପ୍ରାଥମିକ ଓ ପାଞ୍ଚ ଗୋଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ନିମନ୍ତେ କାଉସେଲିଂ ଅନୁଷ୍ଠିତ ହୋଇଥିଲା । ଅବଶିଷ୍ଟ ଶିକ୍ଷକଙ୍କୁ ଯଥାଶୀଘ୍ର ଓ ଟି ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚ ପାହ୍ୟାକୁ ପଦୋନ୍ନତି ନେବାପାଇଁ ଜିଲ୍ଲା ଶିକ୍ଷାଧିକାରୀ ଉପଦେଶ ଦେଇଛନ୍ତି । ଆସନ୍ତା ରବିବାର ଦିନ ଖାଲି ଥିବା ପ୍ରାଥମିକ ପ୍ରଧାନ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୈଷୟିକ ଶିକ୍ଷକ ପଦବୀ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି । ଗୁରୁ ଦିବସରେ ରାୟଗଡ ଜିଲ୍ଲାରେ ଗୁରୁଙ୍କୁ ପଦୋନ୍ନତି ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ବୃଦ୍ଧି କରିଥିବାରୁ ପ୍ରାଥମିକ ଜିଲ୍ଲା ଶିକ୍ଷକ ସଂଘ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଳକର୍ଣି, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ ଏବଂ ସମସ୍ତ ବିଇଓ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।