Hot Posts

6/recent/ticker-posts

ମରଣଯନ୍ତା ପାଲଟିଛି ବସ୍ତା-ବାଲିଆପାଳ ରାସ୍ତା l

ବାଲେଶ୍ୱର , ୧୨/୦୯ (ପ୍ରଭାକର ମଲ୍ଲିକ) : ମରଣଯନ୍ତା ପାଲଟିଛି ବସ୍ତା-ବାଲିଆପାଳ ରାସ୍ତା। ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା।ବାରମ୍ବାର ଅଭିଯୋଗ ପରେ ବି ହେଉ ନାହିଁ ମରାମତି। ନିଘୋଡ଼ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ। ଯାତାୟାତ ସୁଗମ କରିବା ସହ ଦୁର୍ଘଟଣା ରୋକିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା କହୁଛନ୍ତି। ହେଲେ ବସ୍ତା-ବାଲିଆପାଳ ରାସ୍ତାର ଚିତ୍ର ଏହାର ବିପରୀତ।ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇ ଥିବା ବେଳେ ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା। ବାରମ୍ବାର ଦାବି ପରେ ମଧ୍ୟ ମରାମତି ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କେତେ ବେଳେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ତ କେତେ ବେଳେ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଦିଆଯାଉଛି। ରାସ୍ତାରେ କ୍ୟାମେରା ଲଗାଇ ଏବଂ ପୋଲିସ ଚେକିଂ ମାଧ୍ୟମରେ ଯାନବାହନ ଓ ବାଇକ ଚାଳକଙ୍କ ଉପରେ କଡ଼ା ନଜର ରଖାଯାଉଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା କିମ୍ବା ଆବଶ୍ୟକ ସୁରକ୍ଷା ସାମଗ୍ରୀ ବ୍ୟବ ହାର ନକରିବା ପାଇଁ ଚାଳକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରା ଯାଉଛି। କିନ୍ତୁ ଦୁର୍ଘଟଣା ରୋକିବା ପାଇଁ ରାସ୍ତା ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏହାର ଉଦାହରଣ ହେଉଛି ବସ୍ତା-ବାଲିଆପାଳ ରାସ୍ତା। ବସ୍ତା ବ୍ଲକ ର ଗାନ୍ଧୀଛକଠାରୁ ବାଲିଆପାଳ ପର୍ଯ୍ୟନ୍ତ ପ୍ରାୟ ୨୨ କିଲୋମିଟର ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି।ରାସ୍ତାର ସ୍ଥାୟୀ ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କେହି ଦୃଷ୍ଟି ଦେଉନଥିବା ଦୁଃଖ ଓ ପରିତାପର ବିଷୟ। ଗତ ଅଗଷ୍ଟ ୧୦ ତାରିଖରେ ସାମ୍ବାଦିକମାନେ ଧାରଣାରେ ବସିଥିବା ବେଳେ ବିଭାଗୀୟ ଅଧିକାରୀ ପହଞ୍ଚି ୩ ଦିନ ମଧ୍ୟରେ ମରାମତି କରିବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି ଚାଲିଛି। ବସ୍ତା-ବାଲିଆପାଳର ଏହି ପୂର୍ତ୍ତ ବିଭାଗ ରାସ୍ତା ଉପରେ ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ ଏବଂ ସଦର ବ୍ଲକର ପ୍ରାୟ ୫ ଲକ୍ଷ ଉର୍ଦ୍ଧ ଲୋକ ଏହି ରାସ୍ତ ଉପରେ ଯାତାୟାତ ପାଇଁ ନିର୍ଭର କରନ୍ତି। ଏହି ରାସ୍ତା ସିଧାସଳଖ ପଶ୍ଚିମବଙ୍ଗ ସହ ସଂଯୋଗ ହୋଇଥିବାରୁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର ଶୀଳ।ପ୍ରତ୍ୟେକ ଦିନ ଏହି ରାସ୍ତାରେ ୫ ହଜାରରୁ ଅଧିକ ଯାନବାହନ ଚଳାଚଳ କରିଥାଏ। ଡଗରା ବେଳାଭୂମି, ଚନ୍ଦନେଶ୍ୱ ର ଓ ଭୂଷଣ୍ଡେଶ୍ୱର ଶୈବପୀଠ, ତାଳସାରୀ ବେଳାଭୂମି ଭଳି ପର୍ଯ୍ୟଟନ ସ୍ଥଳୀ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ଏହା ସହ ବାଲିଆପାଳ ଅଞ୍ଚଳର ଧାନ, ପାନ, ମାଛ, କାଜୁ ,ଚିନାବାଦାମ ଭଳି ଅର୍ଥକାରୀ ଫସଲ ରାଜ୍ୟ ତଥା ରାଜ୍ୟ ବାହାର କୁ ପଠାଇବା ପାଇଁ ଏହି ରାସ୍ତା ମୁଖ୍ୟ ମାଧ୍ୟମ। ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଏହାର ସ୍ଥାୟୀ ମରାମତି ଦିଗରେ ଆବଶ୍ୟକ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ପେଜଲକା ଛକ ନିକଟରେ ରାସ୍ତା ଉପରେ ପଥର ପଡ଼ିଥିବାରୁ ବର୍ଷା ଦିନେ ଏହି ପଥର ଉପରେ ୨ ରୁ ୩ ଫୁଟ ପାଣି ପ୍ରବାହିତ ହୋଇଥାଏ। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ୨୦୧୬ ମସିହାରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ବ୍ରିଜ ନିର୍ମାଣ କରାଯାଇଥିଲା। ହେଲେ ଏହି ବ୍ରିଜ ଗୁଡ଼ିକର ଅବସ୍ଥା ମଧ୍ୟ ଠିକ ନଥିବାରୁ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗାତ ସୃଷ୍ଟି ହୋଇଛି। କେତେବେଳେ କେଉଁ ମୁହୂର୍ତ୍ତରେ ଏହି ଗାତରେ ପଡ଼ି ଲୋକଙ୍କ ଜୀବନ ଚାଲିଯିବ, ତାହା କହିହେବ ନାହିଁ।ବଡ଼ ଧରଣ କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ, ନିର୍ବାଚିତ ପ୍ରତିନିଧି, ସରକାର ଏଥି ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l